Categories: ଖେଳ

ଜୁନିୟର ଶୁଟିଂ ବିଶ୍ୱକପ୍‌:ଦ୍ୱିତୀୟ ଦିବସରେ ଭାରତକୁ ୬ ପଦକ

ନୂଆଦିଲ୍ଲୀ, ୧୪ା୭ (ପି.ଟି.)- ଜର୍ମାନୀର ସୁଲ୍‌ଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଜୁନିୟର ଓ୍ବାଲର୍‌ଡ କପ୍‌ ରାଇଫଲ/ପିସ୍ତଲ/ଶଟ୍‌ଗନ୍‌ ଚାମ୍ପିୟନଶିପ୍‌ରେ ରବିବାର ଦ୍ୱିତୀୟ ଦିବସରେ ଭାରତ ଦୁଇ ସ୍ବର୍ଣ୍ଣ ସମେତ ୬ଟି ପଦକ ହାସଲ କରିଛି। ଫଳରେ ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ଭାରତର ମୋଟ ପଦକ ସଂଖ୍ୟା ୪ ସ୍ବର୍ଣ୍ଣ, ୫ ରୌପ୍ୟ ଓ ଦୁଇ ବ୍ରୋଞ୍ଜ ସହ ୧୧ରେ ପହଞ୍ଚତ୍ଛି। ରବିବାର ଅନୁଷ୍ଠିତ ପୁରୁଷ ୫୦ ମିଟର ପିସ୍ତଲରେ ଭାରତର ଗୌରବ ରାଣା ଏବଂ ଅର୍ଜୁନ ସିଂ ଚିମା ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ହୋଇଥିଲେ। ରାଣା ୬୦ ଶଟ୍‌ପରେ ୫୫୩ ସ୍କୋର କରିଥିବାବେଳେ ଚିମା ୫୫୧ ସହ ଦ୍ୱିତୀୟ ହୋଇଥିଲେ। ଏହି ଦୁଇଜଣ ବିଜୟବୀର ସିଦ୍ଧୁ (୫୪୭)ଙ୍କ ସହିତ ମୋଟ ୧୬୫୧ ସ୍କୋର କରି ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ବେଲାରୁଷ ଦଳକୁ ରୌପ୍ୟ ପଦକ ମିଳିଥିଲା। ପ୍ରତିଯୋଗିତାରେ ବିଜୟବୀରଙ୍କର ଏହା ହେଉଛି ଦ୍ୱିତୀୟ ସ୍ବର୍ଣ୍ଣ ପଦକ। ଶନିବାର ପ୍ରଥମ ଦିବସରେ ସେ ୨୫ ମିଟର ପିସ୍ତଲ ଟିମ୍‌ ଇଭେଣ୍ଟରେ ଏକ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିପରି ମହିଳା ୫୦ ମିଟର ପିସ୍ତଲ ଇଭେଣ୍ଟରେ ପ୍ରିୟା ରାଘବନ ୫୩୫ ସ୍କୋର କରିବା ସହ ରୌପ୍ୟ ପଦକ ହାସଲ କରିଥିବାବେଳେ ବିଭୂତି ଭାଟିଆ ୫୩୧ ପଏଣ୍ଟ ସହ ବ୍ରୋଞ୍ଜ ପାଇଥିଲେ। ଏହି ଦୁଇଜଣ ଆହୁରି ମଧ୍ୟ ହର୍ଷଦା ନିଥାଭେ (୪୯୧)ଙ୍କ ସହ ମୋଟ ୧୫୫୭ ସ୍କୋର କରି ଟିମ୍‌ ରୌପ୍ୟ ଜିତିଥିଲେ। ଇଭେଣ୍ଟରେ ରୁଷିଆ ସ୍ବର୍ଣ୍ଣ ପଦକ ଜିତିଥିଲା।

Share