Categories: ପୁରୀ

ଜୁଆର ଭସାଇନେଲା ବ୍ୟବସାୟୀଙ୍କ ପସରା

ପୁରୀ ଅଫିସ, ୪ା୮: ଗତ ଦୁଇଦିନ ହେଲା ପୁରୀ ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ବାଲି ଅତଡ଼ା ଧସି ସମୁଦ୍ରରେ ମିଶୁଛି। ଉଚ୍ଚ ଜୁଆର ଆସି କୂଳ ଖାଉଥିବାରୁ ଉଠାଦୋକାନୀ ଭୟଭୀତ ହୋଇପଡ଼ିିଛନ୍ତି। ସେମାନଙ୍କ ଜୀବିକା ପ୍ରତି ସଙ୍କଟ ସୃଷ୍ଟି ହୋଇଛି । ଶୁକ୍ରବାର କେତେଜଣ ଉଠାଦୋକାନୀଙ୍କ ପସରାକୁ ଜୁଆର ଭସାଇ ନେଇଥିବାବେଳେ ଶନିବାର ମଧ୍ୟ ଏହାର ପୁନରାବୃତ୍ତି ଘଟିଛି। ସକାଳ ପ୍ରାୟ ସାଢେ ୮ଟାରେ ସ୍ବର୍ଗଦ୍ୱାରଠୁ ଚୈତନ୍ୟ ଛକ ମଝିରେ ବସିଥିବା ଜଣେ ଉଠାଦୋକାନୀଙ୍କ ପସରାକୁ ଜୁଆର ଭସାଇ ନେଇଥିଲା। ଏହା ଦେଖି ଅନ୍ୟମାନେ ତାଙ୍କ ଉଠାଦୋକାନକୁ ରାସ୍ତା ପାର୍ଶ୍ୱକୁ ନେଇ ଆସିଥିଲେ। କିଛିଦିନ ଧରି ସମୁଦ୍ର ଏଭଳି କୂଳ ଲଂଘୁଥିବାରୁ ବେଳାଭୂମିରେ ବ୍ୟବସାୟ କରୁଥିବା ଉଠାଦୋକାନୀ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପକ୍ଷରେ ସମୁଦ୍ରର ଏଭଳି ସ୍ଥିତି ଦେଖି ଅଗ୍ନିଶମ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ସତର୍କ କରି ଦିଆଯାଇଛି। ଚୈତନ୍ୟ ଛକରୁ ହୋଟେଲ କ୍ୟାମେଲିଆ ପର୍ଯ୍ୟନ୍ତ ବେଳାଭୂମିରେ ରେଡ୍‌ ଫ୍ଲାଗ ମରାଯାଇଛି ବୋଲି ଅଗ୍ନିଶମ କେନ୍ଦ୍ରାଧିକାରୀ ଧନଞ୍ଜୟ ମଲ୍ଲିକ କହିଛନ୍ତି। ସମୁଦ୍ରରେ ବଡ଼ ଜୁଆର ଆସୁଥିବାରୁ ସ୍ନାନ ନ କରିବା ଲାଗି ପର୍ଯ୍ୟଟକଙ୍କୁ ସତର୍କ କରାଯାଇଛି। ଅନ୍ୟପକ୍ଷରେ ସମୁଦ୍ର କୂଳ ଖାଇବା ଏକ ସ୍ବାଭାବିକ ଘଟଣା। ସମୁଦ୍ର ଅଶାନ୍ତ ରହିଲେ ବଡ଼ ଜୁଆର ହୁଏ, ଏହା କୂଳରେ ମାଡ଼ ହୋଇ ବାଲି ଖାଇଯାଏ ବୋଲି କେହି କେହି କହୁଛନ୍ତି।