ଜୁଆଡ଼ି ଧରପଗଡ଼ ଅଭିଯାନ : ୯୩ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୧୩।୧୦: ବ୍ରହ୍ମପୁର ପୋଲିସ ଜିଲାରେ ଜୁଆଡ଼ି ଧରପଗଡ଼ ଅଭିଯାନରେ ୭ଟି ଥାନା ପକ୍ଷରୁ ଶନିବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୯୩ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୪ ଲକ୍ଷ ୨୪ ହଜାର ୨୧୫ ଟଙ୍କା ଜବତ ହୋଇଛି। ଏପରିକି ୨୪ଟି ମୋବାଇଲ ଓ ୪ଟି ବାଇକ୍‌ ମଧ୍ୟ ଜବତ ହୋଇଛି ବୋଲି ଅତିରିକ୍ତ ଏସ୍‌ପି ପ୍ରଶାନ୍ତ କୁମାର ମିଶ୍ର ରବିବାର ସୂଚନା ଦେଇଛନ୍ତି। ଶନିବାର ରାତିରେ ବଡ଼ବଜାର ଥାନା ପୋଲିସ ୨ଟି ଜୁଆଆଡ୍ଡାରେ ଚଢ଼ାଉ କରି ୨୬ ଜୁଆଡ଼ିଙ୍କୁ ଗିରଫ କରିବା ସହ ୧ ଲକ୍ଷ ୨୧ ହଜାର ୭୬୫ ଟଙ୍କା ଓ ୧୬ଟି ମୋବାଇଲ ଜବତ କରିଛି। ସେହିପରି ଟାଉନ ଥାନା ପୋଲିସ ୨ଟି ଜୁଆଅଡ୍ଡାରୁ ୨୨ ଜଣ ଜୁଆଡ଼ିଙ୍କୁ ଧରିବା ସହ ୫୨ ହଜାର ୫୨୦ ଟଙ୍କା ଜବତ କରିଛି। ଗୋଷାଣି ନୂଆଗାଁ ଥାନା ପୋଲିସ ଗୋଟିଏ ଜୁଆଆଡ୍ଡାରେ ଚଢ଼ାଉ କରି ୧୦ଜୁଆଡ଼ିଙ୍କୁ ଗିରଫ କରିବା ସହ ୭୦ ହଜାର ୬୭୦ ଟଙ୍କା, ୮ ଟି ମୋବାଇଲ, ୪ ଟି ବାଇକ ଜବତ କରିଛି । ଗୋଳନ୍ଥରା ଥାନା ପୋଲିସ ୨ଟି ଜୁଆଆଡ୍ଡାରେ ଚଢ଼ାଉ କରି ୮ ଜୁଆଡ଼ିଙ୍କୁ ଗିରଫ କରିଛି। ଏପରିକି ଘଟଣାସ୍ଥଳରୁ ୨୧ ହଜାର ୨୦୦ ଟଙ୍କା ମଧ୍ୟ ଜବତ କରିଛି। ସେହିପରି କେ. ନୂଆଗାଁ ଥାନା ପୋଲିସ ୩ଟି ଜୁଆଆଡ୍ଡାରେ ଚଢ଼ାଉ କରି ୯ ଜୁଆଡ଼ିଙ୍କୁ ଗିରଫ କରିବା ସହ ୧୮ ହଜାର ୨୬୦ ଟଙ୍କା ଜବତ କରିଛି। ଦିଗପହଣ୍ଡି ଥାନା ପୋଲିସ ୩ଟି ଜୁଆଆଡ୍ଡାରେ ଚଢ଼ାଉ କରି ୧୫ ଜୁଆଡ଼ିଙ୍କୁ ଗିରଫ କରିବା ସହ ୩୮ ହଜାର ୧୦୦ ଟଙ୍କା ଜବତ କରିଛି। ସେହିପରି ଜରଡ଼ା ଥାନା ପୋଲିସ ଗୋଟିଏ ଜୁଆଆଡ୍ଡାରେ ଚଢ଼ାଉ କରି ୩ ଜୁଆଡ଼ିଙ୍କୁ ଗିରଫ କରିଛି। ଘଟଣାସ୍ଥଳରୁ ୧ଲକ୍ଷ ୧ ହଜାର ୭୦୦ ଟଙ୍କା ଓ ଖେଳ ପ୍ରସ୍ତୁତି ସରଞ୍ଜାମ ମଧ୍ୟ ଜବତ କରିଛି । ଗିରଫ ହୋଇଥିବା ସମସ୍ତ ୯୩ ଜୁଆଡ଼ିଙ୍କୁ ୧୪ଟି ମାମଲାରେ ରବିବାର କୋର୍ଟ ଚାଲାଣ କରାଯାଇଥିବା ଅତିରିକ୍ତ ଏସ୍‌ପି କହିଛନ୍ତି।