ଜୀବିତ ନାବାଳକଙ୍କୁ ମୃତ ଦର୍ଶାଇ ଗିରଫ କରିବା ଘଟଣା: ତତ୍କାଳୀନ ଡିଏସ୍‌ପି, ଇନ୍ସପେକ୍ଟରଙ୍କୁ ନୋଟିସ

ଭୁବନେଶ୍ୱର,୨୯।୯(ବ୍ୟୁରୋ): ଜଣେ ନାବାଳକ ଜୀବିତ ଥାଇ ତାଙ୍କୁ ମୃତ ଦର୍ଶାଇଥିଲା ବରଗଡ଼ ଜିଲା ପାଇକମାଳ ଥାନା ପୋଲିସ। ଏପରି କି ଏହି ମାମଲାର ତଦନ୍ତ ନ କରି ପୋଲିସ ଦୁଇଜଣ ଯୁବକଙ୍କୁ ଗିରଫ କରି ଅଡୁଆରେ ପଡ଼ିଥିଲା। ଏହି ମାମଲାରେ ଓଡ଼ିଶା ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି) ତତ୍‌କାଳୀନ ବରଗଡ଼ ଡିଏସ୍‌ପି ଏଲ୍‌.ଏନ୍‌. ମହାନ୍ତି ଓ ପାଇକମାଳ ଥାନା ଅଧିକାରୀ ପି.କେ. କର୍ଣ୍ଣଙ୍କୁ ଜବାବ ରଖିବା ପାଇଁ ନୋଟିସ କରିଛନ୍ତି। କମିଶନ୍‌ର ତକତ୍ାଳୀନ ସଦସ୍ୟ ବିଚାରପତି ରଘୁବୀର ଦାଶ ଗତ ଜୁନ୍‌ ୧୧ରେ ଏହି ଦୁଇ ଅଧିକାରୀକୁ ସେପ୍ଟେମ୍ବର ୨୬ ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସେମାନେ ନିର୍ଦ୍ଧାରିତ ସମୟରେ ଜବାବ ରଖି ନ ଥିଲେ କିମ୍ବା ଅଧିକ ସମୟ ମାଗି ନ ଥିଲେ। ତଥାପି ସ୍ବାଭାବିକ ନ୍ୟାୟ ପ୍ରଦାନ ପାଇଁ କମିଶନ ସଦସ୍ୟ ଅସୀମ ଅମିତାଭ ଦାସ ଜବାବ ରଖିବା ପାଇଁ ଆଉ ଥରେ ସୁଯୋଗ ଦେଇଛନ୍ତି। ଆସନ୍ତା ଅକ୍ଟୋବର ୩୦ ସୁଦ୍ଧା ଜବାବ ଦାଖଲ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ପାଇକମାଳ ପିପାଲିପାଳି ଗ୍ରାମର ମନୋରଞ୍ଜନ ଦଣ୍ଡସେନାଙ୍କ ନାବାଳକ ପୁଅ ନିଖୋଜ ନେଇ ପଦ୍ମପୁର ଥାନାରେ ୨୦୧୬ ଡିସେମ୍ବର ୭ରେ ଏକ ଅଭିଯୋଗ ହୋଇଥିଲା। ତେବେ ପାଇକମାଳ ପୋଲିସ ଉକ୍ତ ନାବାଳକଙ୍କ ମୋବାଇଲ୍‌ ଫୋନ୍‌କୁ ଉଦ୍ଧାର କରିବା ସହ ହାଲୁ ଗୁର୍ଲା ଓ ରାଘବ ନାୟକଙ୍କୁ ଗିରଫ କରି ପଦ୍ମପୁର କୋର୍ଟରେ ହାଜର କରିଥିଲା। ପରବର୍ତ୍ତୀ ସମୟରେ ନାବାଳକଙ୍କୁ ହତ୍ୟା କରିବା ସହ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଏହି ଦୁଇଜଣଙ୍କ ବିରୋଧରେ ୨୦୧୭ ଅକ୍ଟୋବର ୨୨ରେ ଚାର୍ଜଶିଟ୍‌ ଦାଖଲ କରିଥିଲା ପୋଲିସ। କିନ୍ତୁ ୨୦୧୮ ମେ ୮ ତାରିଖରେ ନିଖୋଜ ନାବାଳକ କଲିକତାରୁ ଘରକୁ ଫେରିବା ପରେ ପୋଲିସର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ହୋଇଥିଲା। ମାନବାଧିକାର କର୍ମୀ ବିଜୟ କୁମାର ପଣ୍ଡା, ଚନ୍ଦ୍ରନାଥ ଡାନି, ବିଶ୍ୱପ୍ରିୟ କାନୁନ୍‌ଗୋ ଓଏଚ୍‌ଆର୍‌ସିରେ ଅଭିଯୋଗ କରିଥିଲେ। କ୍ରାଇମବ୍ରାଞ୍ଚ ତଦନ୍ତ କରି କମିଶନଙ୍କୁ ୨୦୧୮ ଅକ୍ଟୋବର ୩୦ରେ ରିପୋର୍ଟ ଦେଇଥିଲେ। ରିପୋର୍ଟ ଅନୁଯାୟୀ କମିଶନ୍‌ର ତକତ୍ାଳୀନ ସଦସ୍ୟ ରଘୁବୀର ଦାଶ ଥାନା ଅଧିକାରୀ ଓ ଡିଏସ୍‌ପିଙ୍କୁ ଜବାବ ରଖିବା ପାଇଁ ନୋଟିସ କରିଥିଲେ।