ଜୀବରେ ଯା’ର ଦୟା ନାହିଁ

ଅଭୟ ସୂତାର
ଭଗବାନ ବୁଦ୍ଧଙ୍କ ସମ୍ପର୍କରେ କଥାଟିଏ ମନେପଡ଼େ। ଶୀତଦିନର ଏକ ସକାଳେ ରାସ୍ତାରେ ଜଣେ ପ୍ରାଣୀ ବ୍ୟବସାୟୀ ଏକ ମେଷପଲକୁ ବାଡ଼େଇ ବାଡ଼େଇ ନେଉଛନ୍ତି। ସେଥିରୁ ଏକ ମେଷ ଶାବକ ପାଦ ଛିଡ଼ି ଚାଲିପାରୁ ନ ଥିବାରୁ ମାଲିକଙ୍କଠାରୁ ମାଡ଼ ଖାଉଥିଲା। ବୁଦ୍ଧଦେବ ପଚାରି ଜାଣିଲେ ଯେ, ମଗଧ ସମ୍ରାଟ୍‌ ବିମ୍ବିସାରଙ୍କ ଯଜ୍ଞରେ ବଳି ପଡ଼ିବା ପାଇଁ ଏମାନଙ୍କୁ ନିଆଯାଉଛି। ଏ କଥା ଶୁଣି ସେ ଖୁବ୍‌ ବ୍ୟଥିତ ହେଲେ ଓ ଚାଲିପାରୁ ନ ଥିବା ମେଷ ଶାବକଟିକୁ କାନ୍ଧରେ ଥୋଇ, ମେଷପଲ ସଙ୍ଗେ ସମ୍ରାଟ୍‌ଙ୍କ ନିକଟକୁ ଯାଇ କହିଲେ- ମହାରାଜ! ଯଜ୍ଞରେ ପଶୁବଳି ଦେଲେ ଈଶ୍ୱର କେବେହେଲେ ସନ୍ତୁଷ୍ଟ ହେବେ ନାହିଁ, ବଳି ପାଉଥିବା ପଶୁଟି ହେଉଛି ଆମଭଳି ଈଶ୍ୱରଙ୍କ ସନ୍ତାନ। ସନ୍ତାନକୁ ବଳିଦେଲେ ତା’ର ମାତାପିତା କ’ଣ ଖୁସି ହୁଅନ୍ତି? ଯଦି ଆପଣଙ୍କ ଯଜ୍ଞରେ ପଶୁବଳି ଦେବା ନିତାନ୍ତ ଆବଶ୍ୟକ, ତେବେ ଏମାନଙ୍କ ବଦଳରେ ମୋତେ ବଳି ପକାନ୍ତୁ। ତା’ ହେଲେ ଏହି ନିରୀହ ଓ ନିଷ୍ପାପ ଜୀବମାନେ ରକ୍ଷାପାଇଯିବେ। ଏ କଥା ଶୁଣି ସମ୍ରାଟ୍‌ ବିମ୍ବିସାର ବ୍ୟବସାୟୀଙ୍କୁ ଉଚିତ ମୂଲ୍ୟ ଦେଇ ମେଷପଲଙ୍କୁ ମୁକ୍ତ କରିଦେଲେ ଏବଂ ବୁଦ୍ଧଦେବଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ନିଜର ଭୁଲ୍‌ କାର୍ଯ୍ୟ ପାଇଁ କ୍ଷମା ମାଗିଲେ।
ପ୍ରାଣୀ ମାଂସ ଖାଇବା ଓ ସେମାନଙ୍କର ହାଡ଼, ଚମଡ଼ା, ଦାନ୍ତ ଇତ୍ୟାଦି ବିକି ଲାଭ ପାଇବା ଲୋଭରେ ‘ଜୀବେ ଦୟା’ ସଂସ୍କୃତିକୁ ଛାଡ଼ି ଆମେ ବ୍ୟାପକ ଭାବେ ପଶୁହତ୍ୟା କରିଚାଲିଛୁ। ‘ଯାଦୃଶୀ ଭାବନା ଯସ୍ୟ ସିଦ୍ଧିର୍ଭବତି ତାଦୃଶୀ’ ନୀତିରେ ଆମେ ନିଷ୍ଠୁର ଆଚରଣ କରି କରି ନିଷ୍ଠୁର ମଣିଷ ପାଲଟିଯାଇଛୁ। ସେଥିପାଇଁ ଆମ ଦ୍ୱାରା ସମାଜରେ ଏତେସବୁ ଅପରାଧ ଘଟୁଛି।
ପୁରାଣରୁ ଜଣାଯାଏ, ରାବଣ ସୀତାଙ୍କୁ ବିମାନରେ ବସାଇ ଅପହରଣ କରି ନେବାବେଳେ ଜଟାୟୁ ପକ୍ଷୀ ଦୃଢ଼ତାର ସହିତ ପ୍ରତିରୋଧ କରିଥିଲା ଓ ରାବଣର ଖଣ୍ଡା ଚୋଟରେ କ୍ଷତବିକ୍ଷତ ହୋଇଥିଲା। ବିଶ୍ୱାମିତ୍ରଙ୍କ ତପ ଭଙ୍ଗ କରିବାକୁ ଆସିଥିବା ମେନକା ଏକ କନ୍ୟାସନ୍ତାନକୁ ଜନ୍ମଦେଇ ତାକୁ ସେଇ ଜଙ୍ଗଲରେ ଛାଡ଼ିଦେଇ ସ୍ବର୍ଗକୁ ଫେରିଗଲେ। ଏହି ନବଜାତ ଶିଶୁକୁ ଏକ ଶକୁନ (ଶାଗୁଣା) ଜଗି ରହିଥିଲା। କଣ୍ବମୁନି ଶିଶୁଟିକୁ ଦେଖି ଆଶ୍ରମକୁ ନେଇ ଲାଳନପାଳନ କଲେ ଓ ଶକୁନ ଡେଣା ତଳେ ଆଶ୍ରୟ ନେଇଥିବାରୁ ତାହାର ନାମ ଶକୁନ୍ତଳା ଦେଲେ। ତେବେ ଶକୁନ୍ତଳାଙ୍କୁ ଶିଶୁ ଅବସ୍ଥାରେ ଯେଉଁ ଶକୁନ ପକ୍ଷୀ ନିଜେ ନ ଖାଇ ଜଗି ରହିଥିଲା, ସେହି ପକ୍ଷୀର ତ୍ୟାଗପୂତ ଅବଦାନର ତୁଳନା ଅଛି କି? ଏହିସବୁ ଦୃଷ୍ଟାନ୍ତରୁ ଜଣାଯାଏ, ପଶୁପକ୍ଷୀମାନେ ଆମର ଉପକାରୀ, ଆମ ପ୍ରତି ବିଶ୍ୱସ୍ତ ଓ କୃତଜ୍ଞ। ପୋଷା କୁକୁର, ବିରାଡ଼ି, ଘୋଡ଼ା ପ୍ରଭୃତି କିପରି ମାଲିକର ଜୀବନରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇଦିଅନ୍ତି, ତାହାର ଅନେକ ଦୃଷ୍ଟାନ୍ତ ଆମେ ବିଭିନ୍ନ ସମୟରେ ଖବରକାଗଜରେ ପଢ଼ୁଛୁ। କିନ୍ତୁ ଜୀବଜନ୍ତୁଙ୍କ ପ୍ରତି ଆମେ ନିଷ୍ଠୁର ଆଚରଣ କରିଚାଲୁଛୁ। ରାସ୍ତାକଡ଼ରେ ହଜାର ହଜାର ଛେଳି, ମେଣ୍ଢା, କୁକୁଡ଼ା ଇତ୍ୟାଦିଙ୍କୁ ହତ୍ୟା କଲାବେଳର କରୁଣ ଦୃଶ୍ୟ ଦେଖୁଛୁ। ମାତ୍ର ସାମାନ୍ୟ ପ୍ରତିକ୍ରିୟା ପ୍ରକାଶ ନ କରି ମାଂସ କିଣି ଖାଉଛୁ। ଟ୍ରକ୍‌ ବା ରେଳଡ଼ବାରେ ଗୋରୁଙ୍କୁ ଟିକେ ହଲି ନ ପାରିବା ଭଳି ଭର୍ତ୍ତିକରି ନେଇ କଂସେଇଖାନାରେ ହତ୍ୟା କରାଯାଉଛି। ପ୍ରତିବର୍ଷ ବହୁ ଦେବୀପୀଠରେ ହଜାର ହଜାର ପଶୁଙ୍କୁ ବଳି ପକାଯାଉଛି। ଏ ସମସ୍ତ ପ୍ରାଣୀ ଯେ ଆମର ଉପକାରୀ ଓ ସେମାନଙ୍କୁ ହତ୍ୟା କରି ଆମେ ଭୁଲ୍‌ କରୁଛୁ, ଏ କଥା ଭାବୁଛି କିଏ!
ଇଂଲଣ୍ଡର ଜଣେ ପ୍ରଖ୍ୟାତ ମନସ୍ତତ୍ତ୍ୱବିତ୍‌ଙ୍କ ଗବେଷଣା ଅନୁସାରେ, ଯେଉଁ ବ୍ୟକ୍ତି ଅନ୍ୟ ପ୍ରାଣୀଙ୍କ ପ୍ରତି ନିଷ୍ଠୁର ଆଚରଣ କରନ୍ତି, ସେ ଜୀବନକାଳରେ ହିଂସାକାଣ୍ଡ କରି ଚାଲନ୍ତି ଓ ଶେଷରେ ହିଂସାକାଣ୍ଡର ଶରବ୍ୟ ହୁଅନ୍ତି। ଆମର ନିଷ୍ଠୁର ଆଚରଣ, ନିର୍ଦ୍ଦୟ ପଶୁହତ୍ୟା ଓ ମାଂସ ଭକ୍ଷଣକୁ ଦେଖି ଆମ ପିଲାମାନେ ମଧ୍ୟ ନିଷ୍ଠୁର ହୋଇଗଲେଣି। ସେମାନେ ପ୍ରଥମେ ବିରାଡ଼ି, କୁକୁରଙ୍କ ଉପରେ ଗରମ ପାଣି ପକାଇ ଖୁସି ହେବା ପରେ କୁକୁର ଲାଞ୍ଜ ହାଣିବା, ବିରାଡ଼ି, କୁକୁରଙ୍କ ଗୋଡ଼ ହାଣିବା, ଷଣ୍ଢ ଲାଞ୍ଜରେ ଫଟକାମାଳ ଖଞ୍ଜିବା ଇତ୍ୟାଦି କରି ସାହସ ବଢ଼ାଇଲେ। ତା’ ପରେ କୁକୁଡ଼ାଙ୍କ ବେକ ମୋଡ଼ି ମାରିବା, ଚାଲିଯାଉଥିବା ସାପକୁ ବାଡ଼େଇ ମାରିଦେବା, ଚଢ଼େଇଙ୍କ ବସା ଭାଙ୍ଗି ଅଣ୍ଡା ନଷ୍ଟ କରିବା ଇତ୍ୟାଦି ନୃଶଂସ କାର୍ଯ୍ୟ କରିଚାଲିଲେ। ପରିଣାମରେ ସେହି ପିଲା ପଥରରେ ମୁଣ୍ଡକୁ ଛେଚି, ଦଉଡ଼ିରେ ବେକକୁ ବାନ୍ଧି, ନଈପାଣିକୁ ପେଲିଦେଇ ସାଙ୍ଗମାନଙ୍କୁ ହତ୍ୟା କରୁଛନ୍ତି ଓ ଏହି କାଣ୍ଡକୁ କିଛି ନ ଜାଣିଲା ଭଳି ଗୋପନରେ ରଖିପାରୁଛନ୍ତି।
ତେଣୁ ବର୍ତ୍ତମାନ ଆମର ଗତି କୁଆଡ଼େ ସେ ସମ୍ପର୍କରେ ସମସ୍ତେ ଚିନ୍ତା କରିବା ଉଚିତ। ଏହାକୁ କେବେହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ, ଆଇନ ବା ଦଣ୍ଡ ବ୍ୟବସ୍ଥା ସୁଧାରିପାରିବ ନାହିଁ। କେବଳ ପୂର୍ବ ସଂସ୍କୃତିକୁ ଫେରିଯାଇ ଜୀବେ ଦୟା ଭାବକୁ ଅନୁସରଣ କଲେ ଆମ ନିଷ୍ଠୁର ଭାବନାର ପରିବର୍ତ୍ତନ ଘଟିବ। ଆମେ ଠିକ୍‌ ହୋଇଗଲେ ଆମ ପରିବାର ଓ ସମାଜ ଠିକ୍‌ ହୋଇଯିବ। ଅପରାଧପ୍ରବଣତା ହ୍ରାସ ପାଇବ। ଭାଗବତ ମତରେ ଚଣ୍ଡାଳ ଆଉ କେହି ନୁହେଁ, ଯେ ଜୀବ ପ୍ରତି ନିଷ୍ଠୁର ଆଚରଣ କରେ ସେ ହିଁ ଚଣ୍ଡାଳ- ”ଜୀବରେ ଯା’ର ଦୟା ନାହିଁ। ଉଦ୍ଧବ ଚଣ୍ଡାଳଟି ସେହି।ା“
ଭଦ୍ରକ, ମୋ-୯୪୩୭୩୭୬୯୬୭


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri