Categories: ନୂଆପଡ଼ା

ଜୀବନ ସମ୍ପର୍କ କାର୍ଯ୍ୟକ୍ରମର ଶୁଭାରମ୍ଭ: ଯୋଗଦେଲେ ସୁନାବେଡାର ଆଦିବାସୀ

ନୂଆପଡା ଅଫିସ,୧୦ା୮
ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟରେ ସଭାଗୃହରେ ଜିଲାପାଳ ମଧୁସ୍ମିତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଦିବାସୀ ଜନଜାତି ଚକୋଟିଆ ଭୁଞ୍ଜିଆଙ୍କ ଉନ୍ନତି ସକାଶେ ଜୀବନ ସମ୍ପର୍କ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଜିଲାପାଳ ଉଦ୍‌ଘାଟନ କରି ଏହା ଦ୍ୱାରା ଜିଲାରେ ବାସ କରୁଥିବା ଆଦିମ ଜନଜାତିମାନଙ୍କ ସ୍ବାସ୍ଥ୍ୟ, ପୁଷ୍ଟ ଓ ସ୍ବଚ୍ଛତା ମାନରେ ଉନ୍ନତି ହେବ । ସରକାରଙ୍କ ବିଭିନ୍ନ ଜନହିତକାରୀ କାର୍ଯ୍ୟକ୍ରମ ଯଥା ମା’ ଓ ଶିଶୁମାନଙ୍କ ସକାଶେ ଥିବା କାର୍ଯ୍ୟକ୍ରମ ସୁଫଳ ମିଳିପାରିବ ବୋଲି କହିଥିଲେ। ଆଦିବାସୀମାନଙ୍କ ଜୀବନଶୈଳୀ ଏବଂ ଭାଷା ଭିନ୍ନ ହୋଇଥାଏ । ତେଣୁ କରି ଯୋଜନାଗୁଡିକୁ ଲୋକାଭିମୂଖୀ କରିବାକୁ ତାଙ୍କ ସ୍ଥାନୀୟ ଭାଷାରେ ପୁସ୍ତିକା କରିବା ଦରକାର ବୋଲି ପରାମର୍ଶ କରିଥିଲେ। କାର୍ଯ୍ୟକ୍ରମର ଆୟୋଜକ ତଥା ସ୍ବେଚ୍ଛାସେବୀ ସଙ୍ଗଠନ ସୃଷ୍ଟିର ସମ୍ପାଦକ ବିଶ୍ୱଜିତ ପାଢୀ ଯୋଗଦେଇ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଉନ୍ନତମାନର ତାଲିମ ପ୍ରଦାନ କରି ନିୟୋଜିତ କରାଯିବ ବୋଲି ସୂଚନା ଦେଇଥିଲେ ା ଏହି କାର୍ଯ୍ୟକ୍ରମ ଅଭୟାରଣ୍ୟ ଅଞ୍ଚଳର ୨୩ଟି ଗାଁରେ କାର୍ଯ୍ୟାନ୍ବୟନ ହେବ । ଏହି ସଭାରେ ପ୍ରଶାସନ ତରଫରୁ ସିବିଡିଏ ସ୍ବତନ୍ତ୍ର ଅଧିକାରୀ ଭକ୍ତବନ୍ଧୁ ଅଗସ୍ତୀ ଏଥିପାଇଁ ଯେକୌଣସି ପ୍ରକାର ସହଯୋଗ ଦରକାର ତାହା କରିବ ବୋଲି କହିଥିଲେ । ଏହିଭଳି ଶିଶୁ ବିକାଶ ବିଭାଗର ଶାରଦା ଦିକ୍ଷୀତ ସମ୍ପୃକ୍ତ ଅଞ୍ଚଳର ଅଙ୍ଗନୱାଡି କେନ୍ଦ୍ରରେ ସବୁ କାର୍ଯ୍ୟକ୍ରମକୁ ଟିକିନିଖି ତଦାରଖ କରିବା ଉପରେ ଜୋର ଦେଇଥିଲେ। ପବିତ୍ର ମୋହନ ପ୍ରଧାନ ଧନ୍ୟବାଦ ଦେଇଥିଲେ। ଏଥିରେ ସୁନାବେଡା ଅଭୟାରଣ୍ୟର ବିଭିନ୍ନ ପ୍ରାନ୍ତରୁ ଆଦିବାସୀ ମହିଳାପୁରୁଷମାନେ ଯୋଗଦେଇଥିଲେ।