ଜୀବନ-ଜୀବିକା ମଧ୍ୟରେ ସନ୍ତୁଳନ ଜରୁରୀ, କଣ୍ଟେନ୍‌ମେଣ୍ଟ ଜୋନ୍‌ ବ୍ୟତିତ ସବୁଠି ଚାଲିବ ଅର୍ଥନୈତିକ କାର୍ଯ୍ୟ: ଏସ୍‌ଆର୍‌ସି

ଭୁବନେଶ୍ୱର,୫।୫(ବ୍ୟୁରୋ): କରୋନା ମୁକାବିଲାକୁ ନେଇ ସମ୍ପ୍ରତି ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ଏବେ ଏହାର ତୃତୀୟ ପର୍ଯ୍ୟାୟରେ ମେ’ ୧୭ ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ ବଢ଼ାଯାଇଛି। ଏହି ସମୟରେ ବିଭିନ୍ନ କଟକଣାକୁ କୋହଳ କରାଯାଇଥିବା ବେଳେ ନୂତନ ଗାଇଡ୍‌ଲାଇନ୍‌ ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନର ପରିସ୍ଥିତିରେ ଜୀବନ ଓ ଜୀବିକା ଆମ ପାଇଁ ଆବଶ୍ୟକ। ଏଥିରେ ସନ୍ତୁଳନ ଜରୁରୀ। କାରଣ ଜୀବନ-ଜୀବିକାର ସଂଗ୍ରାମରେ ଜୀବନ ବଞ୍ଚାଉ ବଞ୍ଚାଉ ଜୀବିକା ହାରିଯିବ। ଜୀବନ ଯୁଦ୍ଧରେ ଜୀବିକା ଯେମିତି ବିପନ୍ନ ନ ହୁଏ, ଚେଷ୍ଟା କରିବା ଆବଶ୍ୟକ ପଡ଼ିଛି। ଏହାକୁ ନେଇ କଣ୍ଟେନମେଣ୍ଟ ଜୋନ୍‌ ବ୍ୟତିତ ସବୁଠି ଅର୍ଥନୈତିକ କାର୍ଯ୍ୟ ଚାଲିପାରିବ। ସରକାରଙ୍କ ପକ୍ଷରୁ କୃଷି ଶିଳ୍ପ, କ୍ଷୁଦ୍ର ଶିଳ୍ପ, ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି। ରେଡ୍‌ ଜୋନର ସହରାଞ୍ଚଳରେ ନିର୍ମାଣ କାମ ଉପରେ କିଛି କଟକଣା ରହିଛି। ଜୀବିକାକୁ ଆଉ ଥରେ ସ୍ବାଭାବିକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରୀନ୍‌ ଜୋନ୍‌ ମଧ୍ୟରେ ବସ୍‌ ଚଳାଚଳ ପାଇଁ ସରକାର ଅନୁମତି ଦେଇଛନ୍ତି। ଶ୍ରମିକମାନଙ୍କ ଯା ଆସ ସୁବିଧା ପାଇଁ ବସ ଚଳାଚଳ ଅନୁମତି ମିଳିଛି। ହେଲେ ଗାଁ ଗାଁରେ ଲାଗିଥିବା ବ୍ୟାରିକେଡ ବେଆଇନ୍‌ ଅଟେ। ଏଭଳି ବ୍ୟାରିକେଡ୍‌ ଲଗାଇ ଶ୍ରମିକଙ୍କ ଯା’ଆସ ରୋକିବା ଠିକ୍‌ ନୁହେଁ। ଗୋଟିଏ ଜିଲାରୁ ଅନ୍ୟ ଏକ ଜିଲାକୁ ଶ୍ରମିକମାନେ ଯା’ଆସ କରିପାରିବେ। ତେବେ ଠିକାଦାରମାନେ ନିର୍ଦ୍ଦିଷ୍ଟ ଗାଡ଼ି କରି ଶ୍ରମିକମାନଙ୍କୁ ନେଇପାରିବେ। ଆବଶ୍ୟକ ପଡ଼ିଲେ ଜିଲାପାଳମାନେ ଶ୍ରମିକଙ୍କ ପାଇଁ ଗାଡ଼ି ଯୋଗାଇ ଦେବେ। ଶ୍ରମିକମାନଙ୍କ ଯାଆସରେ ବାଧା ସୃଷ୍ଟି କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦୁଇ ରାଜ୍ୟ ସହମତିରେ ବାହାର ରାଜ୍ୟରୁ କୁଶଳୀ ଶ୍ରମିକ ଅଣାଯାଇପାରିବ। ମନରେଗାରେ ଦୈନିକ ୭.୫ ଲକ୍ଷ ଶ୍ରମ ଦିବସ ଚାଲିଛି। ଏହାକୁ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି। କୃଷି କାର୍ଯ୍ୟ ପାଇଁ ଗୋଟିଏ ଜିଲାରୁ ଅନ୍ୟ ଜିଲାକୁ ମଧ୍ୟ ଶ୍ରମିକମାନେ ଯାଇପାରିବେ। ଖରିଫ ଫସଲ ପାଇଁ ସରକାରଙ୍କ ପାଖରେ ଯଥେଷ୍ଟ ସାର ମହଜୁଦ ରହିଛି। ଶ୍ରମିକମାନେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବାକୁ ଅନୁମତି ଦରକାର ନାହିଁ ବୋଲି ମଧ୍ୟ ସେ କହିଛନ୍ତି।