ଜୀବନ ଅନୁସନ୍ଧାନ କରିବ ମାର୍ସ ରୋଭର

ଓ୍ବାଶିଂଟନ୍‌,୧୫ା୬(ଆଇଏଏନ୍‌ଏସ୍‌): ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସା ଲୋହିତ ଗ୍ରହ ମଙ୍ଗଳକୁ ୨୦୨୦ରେ ରୋଭର ମହାକାଶଯାନ ପ୍ରେରଣ କରିବ। ମଙ୍ଗଳରେ ପ୍ରାଚୀନ କାଳରେ ଜୀବନ ତିଷ୍ଠିଥିଲା କି ନାହିଁ ତାହାର ଅନୁସନ୍ଧାନ କରାଯିବ ବୋଲି ନାସାର ଜେଟ୍‌ ପ୍ରପଲସନ୍‌ ଲାବୋରେଟୋରୀ ପକ୍ଷରୁ କୁହାଯାଇଛି। ମଙ୍ଗଳର ପୃଷ୍ଠଭୂମିରୁ ନମୁନା ସଂଗ୍ରହ କରିବାରେ ଏହା ହେବ ପ୍ରଥମ ସ୍ପେସ୍‌କ୍ରାଫ୍ଟ। ସଂଗୃହୀତ ନମୁନାକୁ ଏକ ଟ୍ୟୁବ୍‌ ମଧ୍ୟରେ ରଖାଯାଇ ପୁଣି ପୃଥିବୀକୁ ଫେରାଇ ଅଣାଯିବା ସହିତ ପରୀକ୍ଷା ନିରୀକ୍ଷା କରାଯିବ ବୋଲି ଜିନହୁଆ ନ୍ୟୁଜ୍‌ ଏଜେନ୍ସିରେ ରିପୋର୍ଟ ପ୍ରକାଶ ପାଇଛି।
ମଙ୍ଗଳର ପରିବେଶରେ ଅଙ୍ଗାରକାମ୍ଳ ଭରି ରହିଥିବାବେଳେ ଖୁବ୍‌ କମ୍‌ ପରିମାଣରେ ଅମ୍ଳଜାନ ରହିଛି। ଏହାକୁ ପ୍ରଶ୍ୱାସରେ ଗ୍ରହଣ କରିହେବ ନାହିଁ। ମଙ୍ଗଳ ପୃଷ୍ଠଭୂମିରେ ଜଳ ନାହିଁ। ଏଠାରେ ଜୀବନ ଧାରଣ ପାଇଁ ବୈଷୟିକ ପରୀକ୍ଷା ନିରୀକ୍ଷା ଏବଂ ଗବେଷଣା କରାଯିବ। ୨୦୨୦ରେ ମାର୍ସ ରୋଭର ସର୍ବଶେଷ ଗବେଷଣା ଲବ୍‌ଧ ବୈଜ୍ଞାନିକ ଓ ଇଞ୍ଜିନିୟରିଂ ଯନ୍ତ୍ରପାତି ବହନ କରିନେବ। ଏଗୁଡିକ ଗବେଷଣା ପାଇଁ ସହାୟକ ହୋଇପାରିବ।

Share