ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ ସୂର୍ଯ୍ୟକୁ ନେଇ ଆମର ସୌରଜଗତ ତିଆରି ହୋଇଛି। ସମସ୍ତେ ସୂର୍ଯ୍ୟ ଚାରିପଟେ ବୁଲନ୍ତି। ସମସ୍ତଙ୍କ ଭିତରେ ଆମ ପୃଥିବୀ କଥା ନିଆରା। କାରଣ ଏତେ ଗ୍ରହ-ଉପଗ୍ରହ ରହିଥିଲେ ବି କେବଳ ପୃଥିବୀ ଗ୍ରହରେ ଜୀବଜନ୍ତୁ ଅଛନ୍ତି। ତେଣୁ ପୃଥିବୀକୁ ଆମ ସୌରଜଗତର ‘ଜୀବଗ୍ରହ’ ବୋଲି କୁହାଯାଉଛି। ଆମ ସୂର୍ଯ୍ୟ ଗୋଟିଏ ନକ୍ଷତ୍ର, ଯାହାର ସୌରଜଗତ ଅଛି। ଆମେ ରାତିରେ ହଜାର ହଜାର ତାରା ଦେଖୁ। କେଇଟା ତାରାକୁ ଛାଡ଼ିଦେଲେ ବାକି ତାରା ବି ନକ୍ଷତ୍ର। ସେମାନେ ଆମ ସୌରଜଗତ ବାହାରେ ଅଛନ୍ତି। ଆମ ସୂର୍ଯ୍ୟ ପରି ଅନେକ ନକ୍ଷତ୍ରର ସୌରଜଗତ ଅଛି ଓ ଗ୍ରହ-ଉପଗ୍ରହ ଅଛନ୍ତି। ସେମାନେ ନିଜର ନକ୍ଷତ୍ର ଚାରିପଟେ ବୁଲୁଛନ୍ତି। ସେଗୁଡ଼ିକୁ ‘ବାହ୍ୟଗ୍ରହ’ କହୁ। ଅନେକ ବାହ୍ୟଗ୍ରହକୁ ଚିହ୍ନଟ କରାଯାଇଛି, କିନ୍ତୁ ସେଠାରେ ଜୀବଜନ୍ତୁ ଥିବାର ପ୍ରମାଣ ମିଳିନାହିଁ।
ପୃଥିବୀରେ ଜୀବନ୍ତ ପ୍ରାଣୀ ରହିପାରିବାର ଅନେକ କାରଣ ଆମକୁ ଜଣା। ବଡ଼ କାରଣ ହେଉଛି ଜଳର ଉପସ୍ଥିତି। ପୃଥିବୀ ବାହାରେ କୌଣସି ‘ବାହ୍ୟଗ୍ରହ’ରେ ମଧ୍ୟ ପାଣି ଥିଲେ ସେଠାରେ ଜୀବଜନ୍ତୁ ଥିବାର ସମ୍ଭାବନାକୁ ଏଡ଼େଇ ପାରିବା ନାହିଁ। ଆଜିକୁ ୪୫୦ କୋଟି ବର୍ଷ ତଳେ ପୃଥିବୀ ସୃଷ୍ଟି ହେଲା। ସେତେବେଳେ ପୃଥିବୀ ପୃଷ୍ଠରେ କୌଣସି ଜୀବ ନଥିଲେ। ପୃଥିବୀରେ ସମୁଦ୍ର ସୃଷ୍ଟି ହେଲା। ପ୍ରାୟ ୧୦୦ କୋଟି ବର୍ଷ ବିତିଲା ପରେ ସମୁଦ୍ର ଭିତରେ ହିଁ ପ୍ରଥମ ଜୀବ ସୃଷ୍ଟି ହୋଇଥିଲା। ତେଣୁ ଜୀବନ ସହିତ ଜଳର ନିବିଡ଼ ସମ୍ପର୍କ ରହିଛି।
ପାଣିକୁ ତିନିଟା ରୂପରେ ଦେଖୁ। ଆମେ ପିଉଥିବା ପାଣି ତରଳ ଅବସ୍ଥାରେ ଥାଏ। ତରଳ ପାଣିକୁ ଫ୍ରିଜ୍ ଭିତରେ ରଖିଲେ ତାହା ବରଫରେ ପରିଣତ ହୁଏ, ଯାହାକି ପାଣିର କଠିନ ଅବସ୍ଥା। ପାଣିକୁ ଗରମ କଲେ ବାଷ୍ପ ବାହାରେ, ଯାହାକି ପାଣିର ଗ୍ୟାସୀୟ ଅବସ୍ଥା। ତେଣୁ ପାଣି ତିନିଟା ରୂପରେ ରହିପାରେ। ଯେଉଁ ଗ୍ରହରେ ପାଣି ତିନିଟା ଅବସ୍ଥାରେ ରହିପାରିବ, ସେଠାରେ ଜୀବନ ସମ୍ଭବ। ପୃଥିବୀ ଏହାର ଉଦାହରଣ। ଆହୁରି ୭ଟି ଗ୍ରହ ଓ ଅନେକ ଛୋଟବଡ଼ ପିଣ୍ଡ ସୂର୍ଯ୍ୟ ଚାରିପଟେ ବିଭିନ୍ନ ଦୂରତାରେ ବୁଲୁଛନ୍ତି। ଯେଉଁ ପିଣ୍ଡଗୁଡ଼ିକ ସୂର୍ଯ୍ୟର ଅତି ନିକଟରେ ରହି ବୁଲୁଛନ୍ତି, ସେଗୁଡ଼ିକ ଅତି ଉତ୍ତପ୍ତ ଅବସ୍ଥାରେ ଅଛନ୍ତି। ସେଠାରେ ନିଆଁ ବର୍ଷିଲା ପରି ଖରା ହୁଏ। ବୁଧ ଓ ଶୁକ୍ର ସେମିତିକା ଦୁଇଟା ଗ୍ରହ। ସେଠାରେ ଜୀବଜନ୍ତୁ ବଞ୍ଚତ୍ପାରିବେ ନାହିଁ। ପିଣ୍ଡଗୁଡ଼ିକ ସୂର୍ଯ୍ୟଠାରୁ ଅତି ଦୂରରେ ରହିଲେ ସେଠାରେ ଜୀବଜନ୍ତୁ ତିଷ୍ଠିପାରିବେ ନାହିଁ। ଆମ ବଞ୍ଚତ୍ବା ପାଇଁ ପୃଥିବୀ ଠିକ୍ ଜାଗାରେ ରହିଛି। ସୂର୍ଯ୍ୟଠାରୁ ଯେଉଁ ଦୂରତାରେ ପୃଥିବୀ ରହିଛି, ସେହି ଅଞ୍ଚଳକୁ ଗୋଲଡିଲକ୍ସ ଅଞ୍ଚଳ ବୋଲି କୁହାଯାଏ। ଏହି ଦୂରତାରେ ବେଶି ଗରମ ନାହିଁ କିମ୍ବା ବେଶି ଥଣ୍ଡା ନାହିଁ। ଏହି ଅଞ୍ଚଳରେ ପାଣି କଠିନ-ତରଳ-ଗ୍ୟାସୀୟ ତିନିଟା ଅବସ୍ଥାରେ ରହିପାରିବ। ତେଣୁ ଜୀବଜନ୍ତୁ ବଞ୍ଚତ୍ପାରିବେ।
ଯଦି ଆମ ସୌରଜଗତ ବାହାରେ କୌଣସି ଜୀବନ୍ତ ଗ୍ରହ ଥିବେ, ସେଗୁଡ଼ିକ ନିଜର ନକ୍ଷତ୍ରଠାରୁ ଗୋଲଡିଲକ୍ସ ଦୂରତାରେ ରହିଥିବେ। ତେଣୁ ବାହ୍ୟଗ୍ରହ ଖୋଜିବା ସମୟରେ ନିଜର ନକ୍ଷତ୍ରଠାରୁ ସେହି ଗ୍ରହଟି କେତେ ଦୂରରେ ଅଛି, ସେକଥା ପ୍ରଥମେ ଚିନ୍ତା କରୁ। କାରଣ ଗୋଲଡିଲକ୍ସ ଅଞ୍ଚଳରେ ରହିଲେ ସେଠାରେ ଜୀବନର ସମ୍ଭାବନା ରହିବ। ବ୍ରହ୍ମାଣ୍ଡରେ ଅନେକ ଛାୟାପଥ ଅଛନ୍ତି। କେବଳ ଆମ ଛାୟାପଥ ଆକାଶଗଙ୍ଗାରେ ପ୍ରାୟ ୧୬,୦୦୦ କୋଟି ବାହ୍ୟଗ୍ରହ ଥିବାର ଅନୁମାନ କରାଯାଉଛି। ୨୦୨୦ ଗବେଷଣା ଅନୁସାରେ ସେଥିମଧ୍ୟରୁ ୬,୦୦୦ କୋଟି ବାହ୍ୟଗ୍ରହ ଅଛନ୍ତି, ଯାହାର ଆକାର ପୃଥିବୀ ଭଳି। କିନ୍ତୁ ଦୁଃଖର କଥା, ନକ୍ଷତ୍ରର ଗୋଲଡିଲକ୍ସ ଅଞ୍ଚଳରେ ଅନେକ ଗ୍ରହ ମିଳିଥିଲେ ବି କୌଣସି ଗ୍ରହରେ ଜୀବଜଗତ ଥିବାର ଠୋସ୍ ପ୍ରମାଣ ଆମକୁ ମିଳିନାହିଁ। କିନ୍ତୁ ସେହି ଗ୍ରହଗୁଡ଼ିକରେ ଜୀବଜଗତ ନାହିଁ ବୋଲି ଆମେ ଦୃଢ଼ ଭାବରେ କହିପାରିବା ନାହିଁ।
ଗୋଲଡିଲକ୍ସ ଅଞ୍ଚଳରେ ଗ୍ରହଟିଏ ରହିଲେ ହଠାତ୍ ଜୀବନ ଆରମ୍ଭ ହୁଏ ନାହିଁ। ସେଥିପାଇଁ ସମୟ ଦରକାର। ଯେମିତି ଗୋଲଡିଲକ୍ସ ଅଞ୍ଚଳରେ ଅବସ୍ଥାନ କରୁଥିବା ପୃଥିବୀ ସୃଷ୍ଟି ହେବା ସମୟରେ ଜୀବଜନ୍ତୁ ନଥିଲେ କି ମଣିଷ ନ ଥିଲା। ସେତେବେଳେ ତାହା ଉତ୍ତପ୍ତ ବାଷ୍ପର ବିରାଟ ପିଣ୍ଡଟିଏ ଥିଲା। ଧୀରେ ଧୀରେ ଥଣ୍ଡା ହେଲା। ଏହାର ପୃଷ୍ଠତଳ ଟାଣ ହେଲା। ପୃଥିବୀପୃଷ୍ଠରେ ସମୁଦ୍ର ସୃଷ୍ଟି ହେଲା। ବିନା ଜୀବରେ ବିତିଗଲା ୧୦୦ କୋଟି ବର୍ଷ। ତା’ପରେ ଜଳ ଭିତରେ ଏକକୋଷୀ ଜୀବନର ଆରମ୍ଭ ହେଲା। ଏକକୋଷୀରୁ ବହୁକୋଷୀ ଜୀବନ ସମ୍ଭବ ହେଲା। ନାନା ଜାତିର ପ୍ରାଣୀ ସୃଷ୍ଟି ହେଲେ। ଯାହା ପ୍ରମାଣ ମିଳିଛି, ପୃଥିବୀ ପୃଷ୍ଠରେ ମଣିଷର ଆବିର୍ଭାବ ହେଲା ଏଇ ମାତ୍ର ୫୫ ଲକ୍ଷ ବର୍ଷ ତଳେ। ଅର୍ଥାତ୍ ପୃଥିବୀର ବୟସ ୧ ଦିନ ହେଲେ ମଣିଷର ଜନ୍ମ ମାତ୍ର ୨ ମିନିଟ ତଳେ ହୋଇଛି। ତେଣୁ ଆମେ ସେମିତିକା ବାହ୍ୟଗ୍ରହକୁ ଖୋଜିଚାଲିଛୁ, ଯିଏକି ଗୋଲଡିଲକ୍ସ ଅଞ୍ଚଳରେ ଅତି କମ୍ରେ ୧୦୦ କୋଟି ବର୍ଷ ରହିଥିବ। କେବେ ସେମିତିକା ଗ୍ରହର ସନ୍ଧାନ ମିଳିବ, ସେହି ଖବର ଶୁଣିବା ପାଇଁ ଆମେ ଅପେକ୍ଷା କରି ରହିବୁ। ସେଠାରେ ଥିବା ଜୀବମାନଙ୍କୁ ଦେଖିବା ପାଇଁ ଅନେଇ ବସିଛୁ।
ଡ. କମଳାକାନ୍ତ ଜେନା
ପ୍ରାଧ୍ୟାପକ (ଫିଜିକ୍ସ),
ଭଦ୍ରକ ଅଟୋନମସ୍ କଲେଜ, ଭଦ୍ରକ
ମୋ: ୯୪୩୯୫୦୧୬୫୧


