ଜୀବନଜୀବିକା ଲାଗି ଏକାଠି ହେଲେ ବ୍ୟାଣ୍ଡବାଜା, ରାମଳୀଳା କଳାକାର

ଦେଓଗାଁ,୨୫ା୫(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଜରାସିଂହା ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରପୁର ଆମ୍ରକାନନଠାରେ ରବିବାର ଜିଲାସ୍ତରୀୟ ରାମଲୀଳା କଳାକାରଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶରତ କୁମାର ପୁଟେଲଙ୍କ ପରିଚାଳନାରେ ବୈଠକ ଅନୁଷ୍ଠିତ ହୋଇଥିଲା। ସାମାଜିକ ଦୂରତ୍ୱ ରକ୍ଷାକରି କଳାକାରଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। କରୋନା ମହାମାରୀ ଯୋଗୁଁ ବିଭିନ୍ନ କଟକଣା ରହିଥିବାରୁ କଳାକାରମାନଙ୍କ ରୋଜଗାର ଉପରେ ଅଙ୍କୁଶ ଲାଗିଛି। ଫଳରେ ଅନେକ କଳାକାର ପେଟ ଚିନ୍ତାରେ ଦିନ କାଟୁଛନ୍ତି। ଏ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେବାକୁ କଳାକାରମାନେ ଦାବି କରିଥିଲେ। ଆଗାମୀ ଦିନରେ ଜିଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ଦେବାକୁ ବୈଠକରେ ସହମତି ପ୍ରକାଶ ପାଇଥିଲା।
ସେହିପରି ଦେଓଗାଁ, ଗୁଡଭେଲା ଓ ସଇଁନ୍ତଲା ବ୍ଲକର ବ୍ୟାଣ୍ଡବାଜା ତଥା ଦୁଲଦୁଲି ପାର୍ଟୀ ମ୍ୟାନେଜରମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୌରଗୋଠ ମ୍ୟାନେଜର ମୋହନ କୁମ୍ଭାରଙ୍କ ପରିଚାଳନା ତଥା ଚାଣ୍ଟିପଦର ଦୁଲଦୁଲି ପାର୍ଟୀ ମ୍ୟାନେଜର ରାଜ ହେର୍ଣ୍ଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ କରୋନା ଯୋଗୁଁ ବିବାହ ବ୍ରତ ଆଡମ୍ବର ସହକାରେ ହୋଇପାରୁନାହିଁ। ଏଣୁ ବ୍ୟାଣ୍ଡବାଜା, ଦୁଲଦୁଲିର ଆବଶ୍ୟକତା ପଡୁନାହିଁ। ଫଳରେ ଏହି ପେଶାରେ ଥିବା କଳାକାରଙ୍କ ପରିବାର ଚଳାଇବା କଷ୍ଟକର ହୋଇପଡିଛି। ଏଣୁ ଏ ଦିଗରେ ସରକାର ଦୃଷ୍ଟିଦେଇ ସହାୟତା ଯୋଗାଇବାକୁ ଦାବି ଉପସ୍ଥାପନ କରାଯାଇଥିଲା। ବୈଠକରେ କୁମର ସୁନା, ଗଣେଶ ବଢ଼ିଆ, ଉତ୍ତମ ସାହୁ, ଭାରତ ପୋଢ଼, ହୃଷିକେଶ ପୋଢ଼, ତ୍ରିଲୋଚନ ସାହୁ, ପ୍ରମୁଖ ମ୍ୟାନେଜର ଉପସ୍ଥିତ ଥିଲେ।