ଜିଲା ଶିକ୍ଷାଧିକାରୀଙ୍କ ଅଫିସ୍‌ ଘେରାଉ

ବାଲେଶ୍ୱର ଅଫିସ, ୬।୭-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବାରବାଟିଆ ଗ୍ରାମର ଜନାର୍ଦ୍ଦନ ଉଚ୍ଚବିଦ୍ୟାଳୟର ଦୁଇ ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଛାତ୍ରୀଛାତ୍ର ଓ ଅଭିଭାବକମାନେ ଶୁକ୍ରବାର ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କ ଅଫିସ୍‌କୁ ଘେରାଉ କରିଥିଲେ। ଏହି ବଦଳି ଆଦେଶକୁ ନାକଚ କରିବା ପାଇଁ ସେମାନେ ଦାବି କରିଥିଲେ।
ଚଳିତବର୍ଷ ଉକ୍ତ ବିଦ୍ୟାଳୟର ମାଟ୍ରିକ ପରୀକ୍ଷା କେନ୍ଦ୍ର ମହାଗବ ଉଚ୍ଚବିଦ୍ୟାଳୟରେ ହୋଇଥିଲା। ଅଭିଭାବକ ଓ ଶିକ୍ଷକଙ୍କ ମିଳିତ କମିଟି ନିଷ୍ପତ୍ତି ଅନୁସାରେ ପିଲାମାନଙ୍କୁ ନେଇ ସେଠାରେ ମେସ୍‌ କରି ପରୀକ୍ଷା ଦେବାରେ ସହଯୋଗ କରିଥିଲେ। ମେସ୍‌ କାର୍ଯ୍ୟରେ ସହଯୋଗ ପାଇଁ ୩ଜଣ ଅଭିଭାବକଙ୍କୁ ମଧ୍ୟ ନିଆଯାଇଥିଲା। ସେଠାରେ ଛାତ୍ରୀଛାତ୍ରମାନଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଖେଳଶିକ୍ଷକଙ୍କୁ ବଦଳି କରାଯାଇଛି। ଶତାଧିକ ଛାତ୍ରୀଛାତ୍ର ଓ ଅଭିଭାବକ ଜାଣିପାରି ଏହାକୁ ବିରୋଧ କରିଥିଲେ। ପରେ ଉକ୍ତ ଦୁଇଶିକ୍ଷକ ଛାତ୍ରୀଛାତ୍ରଙ୍କୁ କୌଣସି ଦୁର୍ବ୍ୟବହାର କରି ନ ଥିବା ଏବଂ ତାଙ୍କର ବଦଳିକୁ ନାକଚ କରିବା ପାଇଁ ଭୋଗରାଇ ବ୍ଲକ ଶିକ୍ଷାଧିକାରୀ ଏବଂ ଜିଲା ଶିକ୍ଷାଧିକାରୀଙ୍କୁ ଲିଖିତ ଜଣାଇଥିଲେ। ଉକ୍ତ ଘଟଣାକୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ବିଦ୍ୟାଳୟରୁ ଛାତ୍ରୀଛାତ୍ରଙ୍କୁ କାଢ଼ି ନେବା ସହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି। ପ୍ରୀତି ପୂଜା ପାତ୍ର, ବର୍ଷା ରାଣି ବାରିକ, ପୂଜାରାଣୀ ଜେନା, ଶୁଭଶ୍ରୀ ଦେ, ପୂର୍ଣ୍ଣିମା ଚାନ୍ଦ, ଅମୃତା ବେହେରା, ରଶ୍ମିତା ମାଝି, ଅମ୍ବିକା ବେହୋ, ସୁମନ ଖାତୁନ, ରୋମି ଖାତୁନ, ସୁଚିସ୍ମିତା ଜେନା, ବିଷ୍ଣୁପ୍ରିୟା ମଣ୍ଡଳ, ଶୁଭଶ୍ରୀ ନାୟକ, ଲିଜାରାଣୀ ଚାନ୍ଦ, ପ୍ରଭାଞ୍ଜଳି ଜେନା, ଅର୍ଚ୍ଚନା ସାମଲ, ପ୍ରିୟଙ୍କା ଗିରି ପ୍ରମୁଖ ଘେରାଉରେ ସାମିଲ ଥିଲେ।