ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର ଅଫିସ, ୩୦।୬-କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ଏବଂ କ୍ଷୁଦ୍ର ମଧ୍ୟମଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ରବିବାର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପରିଦର୍ଶନ କରି ରୋଗୀମାନଙ୍କ ସ୍ବାସ୍ଥ୍ୟସେବା ବୁଝିବା ସହିତ ମୁଖ୍ୟ ଚିକିତ୍ସାଳୟର ଉନ୍ନତି ପାଇଁ ଜିଲା ମୁଖ୍ୟଚିକିତ୍ସାଧିକାରୀ ଡା. ଦୁଲାଲସେନ ଜଗଦେବଙ୍କ ସହ ଆଲୋଚନା କରିଥିଲେ।
ପୂର୍ବାହ୍ନ ସମୟରେ କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚତ୍ ପ୍ରସୂତି, ଶିଶୁ, ଭେଷଜ, ଅସ୍ଥିଶଲ୍ୟ ବିଭାଗର ୱାର୍ଡ଼ରେ ବୁଲି ବୁଲି ରୋଗୀମାନଙ୍କ ସାକ୍ଷାତ୍‌ କରି ସେମାନଙ୍କର ସମସ୍ୟା ଆଲୋଚନା କରିିଥିଲେ। ରୋଗୀମାନଙ୍କ ଅଭିଯୋଗ ଅନୁସାରେ ଡାକ୍ତରମାନେ ରାତି ସମୟରେ ରୋଗୀମାନଙ୍କ ନିକଟକୁ ନ ଆସିବା, ୩ରୁ ୪ ଦିନ ପୂର୍ବରୁ ୱାର୍ଡ଼ରେ ଭର୍ତ୍ତି ହୋଇଥିଲେ ମଧ୍ୟ ଶଯ୍ୟା ନ ମିଳିବା, ୱାର୍ଡ଼ଗୁଡିକ ଠିକ୍‌ ଭାବେ ପରିଷ୍କାର, ପରିଚ୍ଛନ୍ନ ନ ହେବା ଏବଂ ଡାକ୍ତରଖାନାରେ କର୍ମଚାରୀମାନଙ୍କର ବ୍ୟବହାର ଠିକ୍‌ ରହୁ ନ ଥିବା ଜାଣିବାକୁ ପାଇଥିଲେ। ଦୀର୍ଘ ୪୫ମିନିଟ୍‌ରୁ ଊର୍ଦ୍ଧ୍ୱ ସମୟ ଧରି ବିଭିନ୍ନ ୱାର୍ଡ଼ ପରିକ୍ରମା କରି ସାରିବା ପରେ ଜିଲା ମୁଖ୍ୟଚିକିତ୍ସାଧିକାରୀଙ୍କ ସହ ଉପରୋକ୍ତ ସମସ୍ୟା ନେଇ ଆଲୋଚନା କରିବା ସହ କ୍ଷୋଭ ପ୍ରକାଶ କରିଥିଲେ। ଏତଦ୍‌ବ୍ୟତୀତ ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ଡାକ୍ତର ନ ଥିବା କାରଣରୁ ଚିକିତ୍ସା ସେବାରେ ବାଧା ଉପୁଜୁଛି ବୋଲି ଅଧିକାରୀ ମନ୍ତ୍ରୀଙ୍କୁ ଜଣାଇଥିଲେ। କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ଜିଲାର ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ। ଭାଜପା ଜିଲା ପ୍ରବକ୍ତା ଗୌରାଙ୍ଗ ଦାସ, କେନ୍ଦ୍ରୀୟ ଯୁବମୋର୍ଚ୍ଚା ଉପସଭାପତି ଠାକୁର ରଣଜିତ୍‌ ଦାସ, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଉମାକାନ୍ତ ମହାପାତ୍ର ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ।