ଜିଲା ମୁଖ୍ୟ ଚିକିତ୍ସାଳୟରେ ଲାଗିଲା ଡାକବାଜି ଯନ୍ତ୍ର:ରୋଗୀଙ୍କୁ ଦିଆଯିବ ସ୍ବାସ୍ଥ୍ୟ ସମ୍ପର୍କିତ ସୂଚନା

ଅନୁଗୋଳ ଅଫିସ, ୧୪।୧

ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏଣିକି ଡାକବାଜିରେ ରୋଗୀଙ୍କୁ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ମିଳିବ। ଏଥିସହ କେଉଁ ବିଭାଗରେ କେତେବେଳେ କେଉଁ ଡାକ୍ତର ରୋଗୀ ଦେଖିବେ ସେ ନେଇ ମଧ୍ୟ ସୂଚନା ପ୍ରଦାନ କରାଯିବ। ଏଥିପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ୱାର୍ଡରେ ଲାଗିଛି ୩୦ ଡାକବାଜି ଯନ୍ତ୍ର। ଏହାର ପରିଚାଳନା ପାଇଁ ୩ଟି ସ୍ଥାନରେ କଣ୍ଟ୍ରୋଲ ରୁମ୍‌ ବ୍ୟବସ୍ଥା କରାଯାଇଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହି ବ୍ୟବସ୍ଥାକୁ ପବ୍ଲିକ୍‌ ଇନ୍‌ଫରମେଶନ୍‌ ଆଡରେସ୍‌ ସିଷ୍ଟମ ବୋଲି କୁହାଯାଉଛି।
ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନେ ଆଉ ଠକାମିର ଶିକାର ହେବେ ନାହିଁ କି ରୋଗୀଙ୍କୁ କୌଣସି ବ୍ୟକ୍ତି ଭୂତାଇ ପାରିବେ ନାହିଁ। ଏ ନେଇ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ନୂଆ ବ୍ୟବସ୍ଥା ଭାବେ ଲଗାଯାଇଥିବା ଡାକବାଜି ଯନ୍ତ୍ରରେ ରୋଗୀଙ୍କୁ ବିଭିନ୍ନ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ସହ ବିନାମୂଲ୍ୟରେ ମିଳୁଥିବା ସେବା ଓ କେତେବେଳେ କେଉଁ ଡାକ୍ତର ୱାର୍ଡକୁ ଯିବେ ତାହା ଜଣାଇ ଦିଆଯିବ। ମେଡିକାଲ କର୍ମଚାରୀଙ୍କୁ ମଧ୍ୟ ଜରୁରିକାଳୀନ ସୂଚନା ପ୍ରଦାନ କରାଯିବାରେ ଏହି ପବ୍ଲିକ ଇନ୍‌ଫରମେସନ୍‌ ଆଡରେସ୍‌ ସିଷ୍ଟମ ସାହାଯ୍ୟ କରିବ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି। ଏହା ମେଡିକାଲର ଆଉଟଡୋର ପାଖରୁ ଆରମ୍ଭ କରି ପୁରୁଷ ୱାର୍ଡ, ମହିଳା ୱାର୍ଡ, ପ୍ରସୂତି ବିଭାଗ, ସର୍ଜରୀ ୱାର୍ଡ, ଶିଶୁ ୱାର୍ଡ ସହ ୫ ମହଲା ଓ ୩ ମହଲାର ବିଭିନ୍ନ ବିଭାଗରେ ଲଗିବ। ଏ ନେଇ ମେଡିକାଲ କର୍ତ୍ତୃପକ୍ଷ ଏକ ଲକ୍ଷ ଟଙ୍କାର ବଜେଟ୍‌ କରି କାର୍ଯ୍ୟ କରୁଛନ୍ତି। ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ଜିଲା ସଦର ମହକୁମାରେ ଥିବା ଚିକିତ୍ସାଳୟରେ ଏହି ବ୍ୟବସ୍ଥା କରାଯାଉଛି ବୋଲି ସୂଚନା ମିଳିଛି। ଏହି ପ୍ଲବିକ୍‌ ଇନ୍‌ଫରମେଶନ୍‌ ଆଡରେସ୍‌ ସିଷ୍ଟମ ଆସନ୍ତା ୨୬ ତାରିଖରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉଦ୍‌ଘାଟନ କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅପରପକ୍ଷରେ ଏହି ବ୍ୟବସ୍ଥା ପାଇଁ କରାଯାଇଥିବା ଟେଣ୍ଡରକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି। ମେଡିକାଲ ପକ୍ଷରୁ ନୋଟିସ୍‌ ବୋର୍ଡରେ ଏ ନେଇ ସୂଚନା ଲଗା ନ ଯାଇ ଗୁପ୍ତ ରଖାଯାଇଥିବା କୁହାଯାଉଥିଲେ ହେଁ ସିଡିଏମ୍‌ ଅମରେନ୍ଦ୍ରନାଥ ମହାନ୍ତି ଏହାକୁ ଖଣ୍ଡନ କରିଛନ୍ତି। ନୋଟିସ୍‌ ବୋର୍ଡରେ ଲଗାଯାଇଥିବା ସେ କହିଛନ୍ତି।