ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଧାରଣା

ବାଲେଶ୍ୱର ଅଫିସ,୨।୧- ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ତଥା ଫକୀର ମୋହନ ମେଡିକାଲ କଲେଜରେ ଅବ୍ୟବସ୍ଥା। ଡାକ୍ତରଖାନାରେ ରୋଗୀଙ୍କୁ ଅପରିଷ୍କାର ବେଡ୍‌ଶିଟ ଦେବା ଏବଂ ଡାକ୍ତର ଟଙ୍କା ମାଗୁଥିବା ଅଭିଯୋଗ କରି ବୁଧବାର ରାତିରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଧାରଣାରେ ବସିଛନ୍ତି। ରୋଗୀଙ୍କୁ ଟଙ୍କା ମାଗିଥିବା ଡାକ୍ତରଙ୍କ ବିରୋଧରେ ଜିଲାପାଳଙ୍କ ନିକଟରେ ମନ୍ତ୍ରୀ ଲିଖିତ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଡାକ୍ତର ତାଙ୍କୁ ଟଙ୍କା ମାଗୁଥିବା ଜଣେ ରୋଗୀ ଫୋନ କରି ଜଣାଇବାରୁ କେନ୍ଦ୍ରମନ୍ତ୍ରୀ ରାତି ସାଢ଼େ ୯ଟା ପରେ ମେଡିକାଲରେ ପହଞ୍ଚିଥିଲେ। ସିଡିଏମ୍‌ଓଙ୍କୁ ଡାକି ରୋଗୀଙ୍କ ଅଭିଯୋଗକୁ ପ୍ରମାଣ କରିବା ସହିତ ବିଭିନ୍ନ ଓ୍ବାର୍ଡରେ ଥିବା ରୋଗୀଙ୍କ ପାଖକୁ ଯାଇ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ଏହି ସମୟରେ ରୋଗୀଙ୍କ ସମ୍ପର୍କୀୟମାନେ ବେଡ୍‌ଶିଟଗୁଡ଼ିକୁ ଦେଖାଇ ପକାଇବାର ଦୁଇଦିନ ପରେ ପରିବର୍ତ୍ତନ କରାଯାଉଥିବା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅଭିଯୋଗକୁ ସିଡିଏମ୍‌ଓ ସ୍ବୀକାର କରିବା ସହ ଯଥାଶୀଘ୍ର ବେଡ୍‌ଶିଟ ପରିବର୍ତ୍ତନ କରାଯିବ ବୋଲି କହିଥିଲେ। ବାରମ୍ବାର ଏହି ଅଭିଯୋଗ ପରେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ ମିଥ୍ୟା ପ୍ରତିଶ୍ରୁତି ଦେଇଆସୁଥିବା ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରି ଡାକ୍ତରଖାନା ପରିସରରେ ଧାରଣା ଦେଇଛନ୍ତି। ଖବର ଲେଖା ହେବା ବେଳକୁ କେନ୍ଦ୍ରମନ୍ତ୍ରୀ ଧାରଣାରେ ବସିରହିଥିଲେ।