Categories: ନୟାଗଡ଼

ଜିଲା ମହୋତ୍ସବ ପ୍ରସ୍ତୁତି ବୈଠକ ପ୍ଲାଷ୍ଟିକ୍‌ମୁକ୍ତ ହେବ ମହୋତ୍ସବ

ନୟାଗଡ଼ ଅଫିସ,୧୨।୧୧- ନୟାଗଡ଼ ଜିଲା ମହୋତ୍ସବ ଓ ପଲ୍ଲିଶ୍ରୀମେଳା-୨୦୧୯ ପାଇଁ ପ୍ରସ୍ତୁତି ବୈଠକ ସୋମବାର ଜିଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷ ସୃଜନରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ପ୍ରସ୍ତୁତି ବୈଠକରେ ସ୍ଥାନୀୟ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ ମହୋତ୍ସବର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ଡିସେମ୍ବର ୨୪ରୁ ୨୮ ତାରିଖ ୫ ଦିନ ଧରି ଏହି ମହୋତ୍ସବ ନୟାଗଡ଼ ଖେଳପଡ଼ିଆରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ଜିଲା ମହୋତ୍ସବକୁ ପ୍ଲାଷ୍ଟିକ ମୁକ୍ତ କରାଯିବ। ପଡୁଥିବା ୧୦୦ଟି ଷ୍ଟଲ୍‌ରେ କୌଣସି ବ୍ୟକ୍ତି ପ୍ଲାଷ୍ଟିକ ଜିନିଷ ବିକ୍ରି କରିପାରିବେ ନାହିଁ। ମହୋତ୍ସବରେ ସ୍ମରଣିକା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସବ୍‌କମିଟିର ସଦସ୍ୟମାନେ କିପରି ସେମାନଙ୍କ ଦାୟିତ୍ୱ ତୁଲାଇବେ ସେ ବିଷୟରେ ଅଧିକ ଗୁରୁତ୍ୱ ଦେବାକୁ ମତପ୍ରକାଶ ପାଇଥିଲା। ଚଳିତ ବର୍ଷ ସ୍ମରଣିକାର ଡିଜିଟାଲାଇଜେଶନ କରାଯିବ, ଯାହା ଦ୍ୱାରା ରାଜ୍ୟର ଲୋକମାନେ ଏହାକୁ ପାଠ କରିପାରିବେ। ସମସ୍ତ ବ୍ଲକ ଓ ଏନ୍‌ଏସିରୁ ତିନିଗୋଟି ଶ୍ରେଷ୍ଠ ସାଂସ୍କୃତିକ ଦଳକୁ ଚୟନ କରି ଜିଲା ସଂସ୍କୃତି ଅଧିକାରୀଙ୍କ ନିକଟକୁ ପଠାଇବେ। ଏହାପରେ ଉକ୍ତ କଳାକାରମାନେ ଜିଲା ମହୋତ୍ସବ ସନ୍ଧ୍ୟାରେ ସେମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିବେ। ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ସାଂସ୍କୃତିକ ଦଳ କିପରି ଆସିବେ ସେନେଇ ମଧ୍ୟ ଆଲୋଚନା ହୋଇଥିଲା। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ ପୂର୍ବ ବର୍ଷ ଜିଲା ମହୋତ୍ସବ କିପରି ପାଳନ କରାଯାଇଥିଲା ଓ ଚଳିତ ବର୍ଷ ଏହାକୁ କିପରି ପାଳନ କରାଯିବ ସେନେଇ ନିଜର ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଏସ୍‌ପି ଶଶିଭୂଷଣ ଶତପଥୀ, ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ(ଡିଆର୍‌ଡିଏ) ସୁବାସ ଚନ୍ଦ୍ର ରାୟ, ଉପଜିଲାପାଳ ଲଗ୍ନଜିତ ରାଉତ, ଡିଏଫ୍‌ଓ ଧନରାଜ ଏଚ୍‌ଡି ପ୍ରମୁଖ ମଞ୍ଚାସୀନ ଥିଲେ।