Categories: ଅନୁଗୋଳ

ଜିଲା ପ୍ରଶାସନ କର୍ମଚାରୀଙ୍କ ବଦଳି ପ୍ରହସନ; ଚୌକି ଛାଡୁନାହାନ୍ତି ପୁରୁଣା ବାବୁ

ଅନୁଗୋଳ ଅଫିସ,୨୪।୬:  ଅନୁଗୋଳ ଜିଲା କାର୍ଯ୍ୟାଳୟରେ କାର୍ଯ୍ୟରତ ପୁରୁଣା ବାବୁଙ୍କ ଛାଡୁନି ଚୌକି ନିଶା। ଦୀର୍ଘ ବର୍ଷ ହେଲା ଗୋଟିଏ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଏହି ବାବୁମାନେ ବଦଳି ନିର୍ଦ୍ଦେଶ ମଧ୍ୟ ମାନୁନାହାନ୍ତି। ଆଉ ଏଥିରେ ସେମାନଙ୍କୁ ସହଯୋଗ କରୁଛନ୍ତି କେତେଜଣ ବରିଷ୍ଠ ଅଧିକାରୀ। କେବଳ ଲୋକ ଦେଖାଣିଆ ଭାବେ ବଦଳି ନିର୍ଦ୍ଦେଶ ଜାରି କରିଦିଆଯାଉଛି। ଏହା ପରେ ସେମାନଙ୍କୁ ପୁଣି ଡେପୁଟେଶନରେ ଆଣି ପରବର୍ତ୍ତୀ ସମୟରେ ନିୟମିତ କରାଯାଉଥିବା ଅଭିଯୋଗ ଆଣିଛନ୍ତି ଜିଲା କାର୍ଯ୍ୟାଳୟର କେତେଜଣ କର୍ମଚାରୀ। ଫଳରେ ଜିଲାରେ ପ୍ରଶାସନିକ କାର୍ଯ୍ୟରେ ସ୍ବଚ୍ଛତା ରହୁ ନ ଥିବା ସେମାନେ ପ୍ରକାଶ କରିଛନ୍ତି।
କେତେଜଣ କର୍ମଚାରୀ ସେମାନଙ୍କ ନାମ ଗୋପନ ରଖି ଅଭିଯୋଗ ଆଣିଛନ୍ତି ଯେ, ୨୦୧୮ରେ ଜିଲା କାର୍ଯ୍ୟାଳୟ ସହ ଜିଲାରେ ୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କାମ କରୁଥିବା ଏକ ୪୦ ଜଣିଆ ସରକାରୀ କର୍ମଚାରୀଙ୍କ ବଦଳି ନିର୍ଦ୍ଦେଶ ବାହାରିଥିଲା। ହେଲେ ସେମାନେ ବଦଳି ହୋଇଥିବା କାର୍ଯ୍ୟାଳୟକୁ ନ ଯାଇ ସେଠାରେ ହିଁ କାମ କରିଥିଲେ। ପରେ ସେମାନଙ୍କୁ ପୂର୍ବ ଅଫିସ୍‌କୁ ଡେପୁଟେଶନରେ ଡକା ଯାଇଥିଲା। ବାବୁମାନେ ବଦଳି ହୋଇଥିବା ଅଫିସ୍‌ରୁ ଟଙ୍କା ନେଉଥିଲେ ହେଁ ପୁରୁଣା ଅଫିସ୍‌ରେ ରହୁଥିଲେ। ଏହାର କିଛି ଦିନ ପରେ ଜିଲାରେ ୧୯ ଜଣ ବରିଷ୍ଠ କିରାଣି, ୯ ଜଣ କନିଷ୍ଠ କିରାଣି, ୮ ଜଣ ଆରଆଇ, ଜଣେ ଆସିଷ୍ଟାଣ୍ଟ ଆରଆଇ, ୩ ଜଣ ଅମିନଙ୍କ ଡେପୁଟେଶନକୁ ରଦ୍ଦ କରାଯାଇଥିଲା। କେତେଜଣ ବରିଷ୍ଠ ଅଧିକାରୀ ଏପରି କରାଉଥିବା ଅଭିଯୋଗ ହୋଇଛି। ଫଳରେ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଏ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି। ଏହାର ତଦନ୍ତ କରିବାକୁ ଜିଲାପାଳଙ୍କ ନିକଟରେ ଦାବି ହୋଇଛି।
ଏ ସମ୍ପର୍କରେ ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, କର୍ମଚାରୀଙ୍କ ଡେପୁଟେଶନ୍‌କୁ ରଦ୍ଦ କରି ଯିଏ ଯେଉଁ ସିଟ୍‌ରେ କାର୍ଯ୍ୟ କରୁଥିଲେ ସେମାନଙ୍କୁ ସେହି ସିଟ୍‌ରେ ଅବସ୍ଥାପିତ କରାଯାଇଛି। ପୂର୍ବରୁ କର୍ମଚାରୀଙ୍କ ବଦଳି ହୋଇଥିଲେ ମଧ୍ୟ ସେମାନେ ପୁରୁଣା ଅଫିସ୍‌ରେ କାର୍ଯ୍ୟ କରୁଥିବା ଜିଲାପାଳ ସ୍ବୀକାର କରିଛନ୍ତି। ତେବେ ଯଦି ଏପରି ନିର୍ଦ୍ଦେଶ ନ ମାନିବା କିମ୍ବା ଅନିୟମିତତା ଅଭିଯୋଗ ଆସିଛି ଏହାର ଫାଇଲ ମଗାଇ ଯାଞ୍ଚ କରାଯିବ ବୋଲି ଜିଲାପାଳ କହିଛନ୍ତି।