ଜିଲା ଚିକିତ୍ସାଳୟରେ ଆରମ୍ଭ ହେଲା ‘ସଖୀ’: ଗୋଟିଏ ଛାତ ତଳେ ମହିଳାଙ୍କୁ ସମସ୍ତ ସହାୟତା

ଢେଙ୍କାନାଳ ଅଫିସ, ୨୩।୮-ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ଷଷ୍ଠ ମହଲାରେ ୱାନ୍‌ ଷ୍ଟପ୍‌ ସେଣ୍ଟର ‘ସଖୀ’ ସହାୟତା କେନ୍ଦ୍ର ଗୁରୁବାର ଲୋକାର୍ପିତ ହୋଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏହାକୁ ଉଦ୍‌ଘାଟନ କରିଥିଲେ। ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ଜିଲା ପ୍ରଶାସନ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଶୋଭା’ର ମିଳିତ ସହଯୋଗରେ ଏହି କେନ୍ଦ୍ର ଆରମ୍ଭ ହୋଇଛି। ଏହା ମାଧ୍ୟମରେ ଗୋଟିଏ ଛାତ ତଳେ ମହିଳାଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।
ଏଡିଏମ୍‌ଓ (ଜନସ୍ବାସ୍ଥ୍ୟ) ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଏଡିଏମ୍‌ଓ (ପରିବାର କଲ୍ୟାଣ) ଡ. ବିଦ୍ୟୁତ୍‌ କୁମାର ନନ୍ଦ ସୂଚନା ଦେଇ କହିଲେ, ଏହି ସହାୟତା କେନ୍ଦ୍ରରେ ଶାରୀରିକ ଏବଂ ମାନସିକ ରୋଗରେ ପୀଡ଼ିତ ମହିଳାଙ୍କୁ ଆବଶ୍ୟକ ସେବା ଯୋଗାଇ ଦିଆଯିବ। ସ୍ବାସ୍ଥ୍ୟ ସମେତ ୨୪ଘଣ୍ଟିଆ ଆଇନଗତ ସହାୟତା ଉପଲବ୍ଧ ହେବ। ନାବାଳିକାମାନେ ମଧ୍ୟ ଏହି କେନ୍ଦ୍ରରୁ ଅନୁରୂପ ସହାୟତା ପାଇପାରିବେ। ଜିଲା ସମାଜ ମଙ୍ଗଳ ଅଧିକାରୀ ପ୍ରସନ୍ନ କୁମାର ମଲ୍ଲିକ କହିଲେ, ‘ସଖୀ’ ସହାୟତା କେନ୍ଦ୍ର ମାଧ୍ୟମରେ ବଳାତ୍କାର, ପାରିପାରିକ ହିଂସା, ଏସିଡ୍‌ ଆକ୍ରମଣ, ଅପହରଣ, ନିଖୋଜ, ଯୌନ ଉତ୍ପୀଡ଼ନ, ଶୋଷଣ, ମହିଳା ଚାଲାଣ ମାମଲାର ପୀଡ଼ିତାଙ୍କୁ ସହାୟତା ଯୋଗାଇ ଦିଆଯିବ। ମହିଳାମାନେ ନିର୍ଭୟରେ ଏଠାରେ ଅଭିଯୋଗ କରିପାରିବେ ବୋଲି ସେ ସୂଚନା ଦେଇଛନ୍ତି। ଜାତୀୟ ଜୀବିକା ମିଶନ ପ୍ରକଳ୍ପ ପରିଚାଳକ ସଞ୍ଜୀବ କୁମାର ମହାନ୍ତି ଆଲୋଚନାରେ ଭାଗନେଇ କହିଲେ, ହିଂସାର ଶିକାର ହୋଇଥିବା ମହିଳା, ନାବାଳିକା, ଯୁବତୀଙ୍କୁ ‘ସଖୀ’ କେନ୍ଦ୍ର ଜରିଆରେ ପୋଲିସ ସହାୟତା, ଚିକିତ୍ସା ସୁବିଧା, ଆଇନଗତ ସହାୟତା, ମନସ୍ତାତ୍ତ୍ୱିକ ଏବଂ ସାମାଜିକ ପରାମର୍ଶ ମିଳିପାରିବ। ଆବଶ୍ୟକସ୍ଥଳେ ସେମାନେ ୫ଦିନ ସେଠାରେ ରହିପାରିବେ। ଏ ନେଇ ସମସ୍ତ ବ୍ୟବସ୍ଥା ଉପଲବ୍ଧ ରହିଛି। ପରିସ୍ଥିତିକୁ ସମୀକ୍ଷା କରାଯିବା ପରେ ପୀଡ଼ିତାଙ୍କୁ ଅନ୍ୟାନ୍ୟ ସହାୟତା ମଧ୍ୟ ମିଳିବ ବୋଲି ସେ କହିଥିଲେ।
ପ୍ରାରମ୍ଭରେ ‘ଶୋଭା’ର ନିର୍ଦ୍ଦେଶକ ଉଦୟେନ୍ଦୁ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ। ଜିଲା ଶିଶୁ ମଙ୍ଗଳ କମିଟି ସଦସ୍ୟା ନିବେଦିତା ରଥ, ଓକିଲ ସଂଘ ସଭାପତି ସଞ୍ଜୟ କୁମାର ମିଶ୍ର, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀ, ଜିଲା ରେଡ୍‌କ୍ରସ୍‌ ଉପସଭାପତି ବିରଞ୍ଚତ୍ ନାରାୟଣ ପାଣିଙ୍କ ସମେତ ସମସ୍ତ ସିଡିପିଓ, ଆଇସିଡିଏସ୍‌ ସୁପରଭାଇଜର, ପ୍ରୋଗ୍ରାମ ଅଫିସର, ସ୍ବାସ୍ଥ୍ୟ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।