ଜିଲାସ୍ତରୀୟ ରାଷ୍ଟ୍ରିୟ ପୋଷଣ ମାସ:ଘର ତିଆରି ପୋଷକ ଉପରେ ଗୁରୁତ୍ୱ ଦେଲେ ଜିଲାପାଳ

ନୂଆପଡା ଅଫିସ,୨୮ା୯
ଘର ତିଆରି ଖାଦ୍ୟରେ ହିଁ ଉପଯୁକ୍ତ ପୋଷକ ତତ୍ୱ ରହିଥାଏ । ଆବହମାନ କାଳରୁ ଆମେ ଘରେ ମା’ ତିଆରି କରୁଥିବା ଖାଦ୍ୟରେ ଢେର ପୋଷକ ପାଉଥିଲୁ । ହେଲେ ଆମେ ସଭ୍ୟ ସମାଜ ଆଡକୁ ଯେତେ ଯାଉଛୁ ବୋଲି କୁହାଯାଉଛି, ଆମେ ସେତିକି ପୁଷ୍ଟିହୀନତାର ଶିକାର ହେଉଛୁ। ତେଣୁ ଘର ତିଆରି ପୋଷକ ଆମକୁ ଉପଯୁକ୍ତ ପୌଷ୍ଟିକ ଆହାର ଯୋଗାଇ ପାରିବ ବୋଲି ଜିଲାପାଳ କହିଥିଲେ। ଶୁକ୍ରବାର ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମରେ ସେଭ ଦି ଚିଲଡ୍ରେନ ଏବଂ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଜିଲାସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳନରେ ଯୋଗଦେଇ ଜିଲାପାଳ ମଧୁସ୍ମିତା ସାହୁ ଏହା କହିଥିଲେ । କାର୍ଯ୍ୟକ୍ରମରେ ସେଭ ଦି ଚିଲଡ୍ରେନର ଜିଲା ଅଧିକାରୀ ବିଦ୍ୟାଧର ମେହେର ଅଧ୍ୟକ୍ଷତା କରିଥିବାବେଳେ ଜିଲାପାଳ ସାହୁ ମୁଖ୍ୟଅତିଥି, ଜିଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ ବିଶେଷ ଅତିଥି, ଡିପିଏମ ଟିମନ ବାରା, ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ନିବେଦିତା ସାମଲ, ଆରବିଏସକେୱାଇର ମୁକେଶ କୁମାର ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପୂର୍ବାହ୍ନରେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ନୂଆପଡା ବ୍ଲକ କ୍ୟାମ୍ପସରେ ଚାରାରୋପଣ କାର୍ଯ୍ୟକ୍ରମ ପରେ ଏକ ରାଲିରେ ମହିଳାମାନେ ଇଣ୍ଡୋର ଷ୍ଟାଡିୟମ ଯାଏଁ ଆସିଥିଲେ। ଏହି ଅବସରରେ ଯୁବତୀ ଫେଡେରେଶନ ଅନନ୍ୟା ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପୋଷଣ ଉପରେ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ପରିସରରେ ଖାଦ୍ୟ ପ୍ରଦର୍ଶନୀ ପ୍ରତିଯୋଗିତା ହୋଇଥିଲା। ଏଥିରେ ଖଡିଆଳ ବ୍ଲକ ପ୍ରଥମ ସ୍ଥାନ ଗ୍ରହଣ କରିଥିବାବେଳେ ନୂଆପଡା ବ୍ଲକ ଦ୍ୱିତୀୟ ସ୍ଥାନରେ ରହିଥିଲା। ଏହିଭଳି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ସକାଶେ ଅନ୍ୟ ବ୍ଲକ ସମନ୍ବିତ ଶିଶୁ ବିକାଶ ବିଭାଗଗୁଡିକୁ ପୁରସ୍କୃତ କରାଯାଇଥିଲା। ଜିଲାପାଳ ଘର ତିଆରି ପୌଷ୍ଟିକ ଆହାର ଉପରେ ଗୁରୁତ୍ୱ ଦେଇଥିବାବେଳେ ଘରେ ଯଦି ପୁଷ୍ଟିକର ଖାଦ୍ୟ ନ ପାଇ କେହି ମୃତ୍ୟୁବରଣ କରୁଛନ୍ତି, ଏଥିପାଇଁ ଆମେ ନିଜକୁ ଉତ୍ତର ଦାୟୀ କରିବା ଦରକାର । ଏଥିପାଇଁ ଆମେ ନିଜକୁ ପ୍ରସ୍ତୁତି କରିବା ଜରୁରୀ ବୋଲି କହିଥିଲେ। ଆଜିର ଦିନରେ ପୌଷ୍ଟିକ ଆହାର ହିଁ ଜୀବନରେ ଉତମ ସ୍ବାସ୍ଥ୍ୟ ରକ୍ଷାର ମାଧ୍ୟମ ହୋଇପାରିବ ବୋଲି ଆମ ସମସ୍ତଙ୍କୁ ସଂକଳ୍ପ କରିବାକୁ ପଡିବ ବୋଲି ବକ୍ତାମାନେ ମତ ରଖିଥିଲେ । କାର୍ଯ୍ୟକ୍ରମରେ ସେଭ ଦି ଚିଲଡ୍ରେନର ଜିଲା ଅଧ୍ୟକ୍ଷ ମେହେର ମଞ୍ଚ ପରିଚାଳନା କରିଥିଲେ।