Categories: ନୂଆପଡ଼ା

ଜିଲାପାଳ ତରବୋଡ ନବୋଦୟ ସ୍କୁଲ ବୁଲି ଦେଖିଲେ:କର୍ମଚାରୀଙ୍କ ସହ ବୈଠକ କଲେ

ନୂଆପଡା ଅଫିସ/ତରବୋଡ,୨୨।୯(ଡି.ଏନ.ଏ.)
ନୂଆପଡା ଜିଲାର ଏକମାତ୍ର ତରବୋଡସ୍ଥିତ ନବୋଦୟ ବିଦ୍ୟାଳୟରେ ଅନେକ ସମସ୍ୟା ରହିଛି। ଏ ନେଇ ବିଭିନ୍ନ ସମୟରେ ଛାତ୍ରୀଛାତ୍ର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶନିବାର ଖୋଦ ଜିଲାପାଳ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏଠାରେ ପହଞ୍ଚତ୍ଥିଲେ। ଏଠାରେ ସବୁ ପରିସରକୁ ବୁଲି ଦେଖିଥିବାବେଳେ ଏଠାରେ ଆୟୋଜିତ ପରିଚାଲନା କମିଟି ବୈଠକରେ ଯୋଗଦେଇଥିଲେ। କର୍ମଚାରୀ ଏବଂ ଅବିଭାବକଙ୍କ ସହ ବସି ଆଲୋଚନା କରିଥିଲେ। ଏହି ଅବସରରେ ଚାରା ରୋପଣ କାର୍ଯ୍ୟକ୍ରମ କରିଥିବାରୁ ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।
ଜିଲାପାଳ ମଧୁସ୍ମିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷା ଶାନ୍ତି ମହାନ୍ତି, ଜିଲା ଶିକ୍ଷାଧିକାରୀ ଲକ୍ଷ୍ମଣ କୁମାର ଭୋଇ, ଜିଲା ମୁଖ୍ୟ ଚିକିତ୍ସାଳୟ ଜିଲା ସ୍ବାସ୍ଥ୍ୟ ଅଧିକାରୀ ଡା.ପି.କେ.ବି ପଟ୍ଟନାୟକ, ପିଡବ୍ଲ୍ୟୁଡି ଏସଡିଓ କ୍ଷୀରଧର କନ୍ଦପାଣୀ, ଜିଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, ଡ. ଶିବ ପ୍ରସାଦ ବେହେରା, କଳାହାଣ୍ଡି ଏମପିଙ୍କ ପ୍ରତିନିଧି ସୁରେଶ କୁମାର ଅଗ୍ରୱାଲ, ଅର୍ଜୁନ ଜଗତ ପ୍ରମୁଖ ଯୋଗଦେଇଥିଲେ। ଏଥିରେ ବିଦ୍ୟାଳୟର ମେସ ପରିଚାଳନା, ପାଠପଢା, ସ୍ବାସ୍ଥ୍ୟ ସମସ୍ୟା, ଏନଏସଏସ, ଖେଳ କୁଦ, ବିଜ୍ଞାନ ବିକାଶ ନିଧି, ସୁରକ୍ଷା ବ୍ୟବସ୍ଥା, ପାନୀୟ ଜଳ, ବିଜୁଳି, ରାସ୍ତା ଉପରେ ବିଷଦ ଭାବେ ଆଲୋଚନା ହୋଇଥିଲା । ଏହି ଅବସରରେ ବିଦ୍ୟାଳୟ ଅଭିଭାବକମାନେ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ସେ ସବୁ ଉପରେ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲାପାଳ ସାହୁ ପ୍ରତିଶ୍ରୁତି ଦେଇଥିଲେ। ଶେଷ ପର୍ଯ୍ୟାୟରେ ଅତିଥିମାନେ ବିଦ୍ୟାଳୟ କ୍ୟାମ୍ପସରେ ଚାରାରୋପଣ କରିଥିଲେ। ଏଥିରେ ବିଦ୍ୟାଳୟ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀଶିକ୍ଷକମାନେ ସହଯୋଗ କରିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷା ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ ।