ଜିଲାପାଳ କ୍ଷମତାର ଉପଯୋଗ କଲେ ସରପଞ୍ଚ: ପଞ୍ଚାୟତରେ ୮ଦିନ ପର୍ଯ୍ୟନ୍ତ ୨୦ ଘଣ୍ଟିଆ ଶଟ୍‌ଡାଉନ୍‌

ବୁଗୁଡ଼ା,୯ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ମାଣିତରା ପଞ୍ଚାୟତ ସରପଞ୍ଚ ଶାନ୍ତିଲତା ନାୟକ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ଜିଲାପାଳ କ୍ଷମତାର ଉପଯୋଗ କରିଛନ୍ତି। ଗାଁରେ ସଙ୍ଗରୋଧ ଗୃହ ରହିଥିବାରୁ ସଂକ୍ରମଣ ଆଶଙ୍କାରେ ୮ଦିନ ପର୍ଯ୍ୟନ୍ତ ଦିନ ୧୧ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏନେଇ ସେ ସ୍ଥାନୀୟ ବିଡିଓ ତଥା ନୋଡାଲ ଅଧିକାରୀ ତନ୍ମୟ ପାତ୍ର ଏବଂ ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ରାଜ୍ୟର ମାଣିତରା ହେଉଛି ପ୍ରଥମ ପଞ୍ଚାୟତ, ଯେଉଁ ଠାରେ କି ସରପଞ୍ଚ ଜିଲାପାଳ କ୍ଷମତା ପ୍ରୟୋଗ କରିଛନ୍ତି।
ସଟ୍‌ଡାଉନ ଘୋଷଣା ଫଳରେ ଦିନ ୧୧ଟାରୁ ପରଦିନ ୭ଟା ପର୍ଯ୍ୟନ୍ତ ଔଷଧ ଦୋକାନକୁ ଛାଡିଦେଲେ ଅନ୍ୟ ସବୁ ଦୋକାନବଜାର ବନ୍ଦ ରହିବ। ସକାଳ ୭ଟାରୁ ୧୧ଟା ମଧ୍ୟରେ ରାଶନ, ପନିପରିବା ଆଦି ଦୋକାନ ଖୋଲା ରହିବ। ଏହି ନିୟମ ୮ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ମାଣିତରା ପଞ୍ଚାୟତ ଅଧିନସ୍ଥ ମାଣିତରା, ନଗୁଡ଼ୁ, ମକରାପଲ୍ଲୀ, ସାପୁଆପଲ୍ଲୀ, ମଙ୍ଗରାଜପୁର, ଭୋଗଡ଼ା ଆଦି ସଙ୍ଗରୋଧ କେନ୍ଦ୍ରରେ ମୋଟ ୧୭୯ ପ୍ରବାସୀ ଓଡ଼ିଆ ରହୁଛନ୍ତି। ଅଧିକାଂଶ କେନ୍ଦ୍ରଗୁଡ଼ିକ ଜନବସତି ଅଞ୍ଚଳରେ ହୋଇଥିବାରୁ କ୍ୱାରାଣ୍ଟାଇନରେ ଥିବା ଲୋକେ ପାନ ଗୁଟ୍‌ଖା ଆଦି ପାଇଁ ବେଳେବେଳେ ବାହାରକୁ ଆସୁଛନ୍ତି। ଏଥିସହ ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଥିଲେ ମଧ୍ୟ ବହୁଲୋକ ମାନୁ ନାହାନ୍ତି। ଏଭଳି ସ୍ଥିତିରେ ପଞ୍ଚାୟତରେ କରୋନା ସଂକ୍ରମଣ ଆଶଙ୍କାଙ୍କୁ ଲକ୍ଷ୍ୟ କରି ଏପରି ନିଷ୍ପତ୍ତି ନେଇଥିବା ସରପଞ୍ଚ ନାୟକ କହିଛନ୍ତି। ଉକ୍ତ ନିୟମକୁ ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି।
ଏ ସମ୍ପର୍କରେ ବିଡିଓ ତଥା ନୋଡାଲ ଅଧିକାରୀ ତନ୍ମୟ ପାତ୍ରଙ୍କୁ ପଚାରିବାରୁ ପରିସ୍ଥିତିକୁ ନେଇ ଏପରି ବ୍ୟବସ୍ଥା କରିବା ଠିକ୍‌ ବୋଲି ସେ କହିଥିଲେ।