ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ

ପୁରୀ ଅଫିସ,୧୨ା୬: ଫାଇଲିନ୍‌କୁ ୮ବର୍ଷ ଓ ଫନୀ ବାତ୍ୟାକୁ ବର୍ଷେ ବିତିଯାଇଛି। ହେଲେ ଅନେକ କ୍ଷତିଗ୍ରସ୍ତଙ୍କୁ ଏ ପର୍ଯ୍ୟନ୍ତ ସରକାରୀ ସହାୟତା ମିଳିନାହିଁ। ଫନୀରେ ଘର ଭାଙ୍ଗିଥିବା ବହୁ କ୍ଷତିଗ୍ରସ୍ତ ଏବେ ବି ଜରିପାଲ ତଳେ ରହୁଛନ୍ତି। କ୍ଷତିଗ୍ରସ୍ତଙ୍କ ଦାବି ପୂରଣ ପାଇଁ ଶୁକ୍ରବାର ପୁରୀ ଜିଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରତିକାର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ଏଥିରେ କମିଟି ପକ୍ଷରୁ ୫ଦଫା ଦାବି ଉପସ୍ଥାପନ କରାଯାଇଥିଲା। ଦାବିଗୁଡ଼ିକ ମଧ୍ୟରେ ଫାଇଲିନ୍‌ରେ ବାଦ୍‌ ପଡ଼ିିଥିବା ଗୁରୁତର କ୍ଷତିଗ୍ରସ୍ତଙ୍କୁ (ଯେଉଁମାନଙ୍କର ବାତ୍ୟା ସୁରକ୍ଷିତ ପକ୍କା ଘର ନାହିଁ) ବିଶ୍ୱବ୍ୟାଙ୍କ ସହାୟତା ରାଶି ଯୋଗାଇ ଦିଆଯାଉ। କାର୍ଯ୍ୟାଦେଶ ପାଇ ଗୃହ ନିର୍ମାଣ ଚାଲୁ ରଖିଥିବା ହିତାଧିକାରୀଙ୍କ ବର୍ତ୍ତମାନ ସ୍ଥିତି ଅନୁଧ୍ୟାନ କରି ସହଯୋଗ କରାଯାଉ। ଗୁରୁତର କ୍ଷତିଗ୍ରସ୍ତ ତାଲିକାଭୁକ୍ତ ଭୂମିହୀନ ହିତାଧିକାରୀଙ୍କୁ ସେ ବାସ କରୁଥିବା ଜମିରେ ଘର ନିର୍ମାଣ ସୁବିଧା ସହ ପଟ୍ଟା ପ୍ରଦାନ କରାଯାଉ। ଫନୀ ବାତ୍ୟା ପ୍ରପୀଡ଼ିତ ହିତାଧିକାରୀଙ୍କୁ ସହାୟତା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ପ୍ରତ୍ୟେକଙ୍କୁ ୪ଲକ୍ଷ ୫୦ ହଜାର ଟଙ୍କାର ଏକ ବାତ୍ୟା ନିରୋଧକ ଗୃହ ଯୋଗାଇ ଦିଆଯାଉ। ଏତଦ୍‌ବ୍ୟତୀତ ଫନୀ କେଳେଙ୍କାରୀରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କମିଟି ଦାବି କରିଛି ।