ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ବାମପନ୍ଥୀ ଦଳର ବିକ୍ଷୋଭ

ଭଦ୍ରକ ଅଫିସ, ୮।୮ – ବାମପନ୍ଥୀ ଦଳର କର୍ମକର୍ତ୍ତା ଓ ସମର୍ଥକମାନେ ଗୁରୁବାର ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜମ୍ମୁ କଶ୍ମୀରକୁ ଦିଆଯାଇଥିବା ସ୍ବତନ୍ତ୍ର ସାମ୍ବିଧାନିକ କ୍ଷମତା ଧାରା ୩୭୦ ଓ ୩୫(ଏ)କୁ ଉଠାଇ ନେବା, ଦେଶର ଏକତା, ସମ୍ବିଧାନ ଓ ସଂଘୀୟ ବ୍ୟବସ୍ଥା ଉପରେ କେନ୍ଦ୍ର ସରକାରଙ୍କ କୁଠାରଘାତ ବୋଲି କହି ନିନ୍ଦା କରାଯାଇଥିଲା। ସେଠାରେ ୧୪୪ ଧାରା ଲାଗୁ କରି ରାଜନୀତିଜ୍ଞ, ରାଜନେତାମାନଙ୍କୁ ଗୃହବନ୍ଦୀ କରିବା ଅତ୍ୟନ୍ତ ନିନ୍ଦନୀୟ। ଏହାକୁ ବିରୋଧ କରି ସିପିଆଇ, ସିପିଆଇଏମ୍‌, ସିପିଆଇ(ଏମଏଲ୍‌) ଭଦ୍ରକ ଜିଲା କମିଟି ପକ୍ଷରୁ ବନ୍ତ ଛକରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏହାପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ସେଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଜମ୍ମୁ କଶ୍ମୀର ରାଜ୍ୟକୁ ଭାଙ୍ଗି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିବା ଭାରତୀୟ ସମ୍ବିଧାନ ଓ ସଂସଦୀୟ ଗଣତନ୍ତ୍ର ପ୍ରତି ବିଶ୍ୱାସଘାତକତା ବୋଲି ବକ୍ତାମାନେ କହିଥିଲେ। କଶ୍ମୀରରେ ୫୦ ହଜାରରୁ ଊର୍ଦ୍ଧ୍ୱ ସୈନିକ ମୁତୟନ କରାଯାଇ ଜମ୍ମୁ କଶ୍ମୀରବାସୀଙ୍କ ମଧ୍ୟରେ ଭୟ ଓ ଅସ୍ଥିରତା ସୃଷ୍ଟି କରି ଦେଶର ଏକତା ପ୍ରତି ବିପଦ ସୃଷ୍ଟି କରାଯାଇଛି କହି ନିନ୍ଦା କରିଥିଲେ। ସିପିିଆଇଏମ୍‌ ଜିଲା ସମ୍ପାଦକ ଦିବ୍ୟସିଂହ ନାୟକ, ବରିଷ୍ଠ ନେତା ଚନ୍ଦ୍ରଶେଖର ନାୟକ, ପ୍ରଫୁଲ୍ଲ ପାଢୀ, ରାଧା ଦାସ, ପ୍ରଭାସ ମହାପାତ୍ର, ସିପିଆଇ(ଏମ୍‌ଏଲ୍‌)ର ଜିଲା ସମ୍ପାଦକ ସମର ବଳ, ଛାତ୍ରନେତା ପ୍ରତାପ ନାୟକ, ଜୟନ୍ତୀ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ଦାସ, ଲକ୍ଷ୍ମୀପ୍ରିୟା ଦାସ, ସିପିଆଇର ଜିଲା ନେତା ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଫକୀର ଚରଣ ବିଶ୍ୱାଳ, ପରମେଶ୍ୱର ବାରିକଙ୍କ ସହିତ ଆଇନଜୀବୀ ଗିରିଧାରୀ ନାଥ, ବୈଲୋଚନ ଯେନା, ପ୍ରତାପ ସେଠୀ ପ୍ରମୁଖ ବିକ୍ଷୋଭରେ ସାମିଲ ଥିଲେ। ବିକ୍ଷୋଭ ଶୋଭାଯାତ୍ରାରେ ବହୁ ବାମପନ୍ଥୀ କର୍ମୀ ଯୋଗ ଦେଇଥିଲେ।