ଜିଲାପାଳଙ୍କୁ ସରକାରଙ୍କ ନିର୍ଦ୍ଦେଶ: ଲକ୍ଷଣ ଥାଉ ବା ନ ଥାଉ ତୁରନ୍ତ କ୍ୱାରାଣ୍ଟାଇନ୍‌ରେ ରହିବେ ସଂକ୍ରମିତ ଅଞ୍ଚଳରୁ ଆସିଥିବା ଲୋକେ

ଭୁବନେଶ୍ୱର,୨୯।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ରୋକିବା ଲାଗି ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ସଂକ୍ରମିତ ଦେଶ କିମ୍ବା ଅଞ୍ଚଳରୁ ଓଡ଼ିଶାକୁ ଆସିଥିବା ଲୋକମାନଙ୍କୁ ତୁରନ୍ତ କ୍ୱାରାଣ୍ଟାଇନ୍‌ରେୁ ରଖିବାକୁ ରାଜ୍ୟ ସରକାର ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନ ୩ଟି ଦିଗକୁ ଗୁରୁତ୍ୱ ଦେଉଛି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ପ୍ରଥମଟି ହେଉଛି ଯେଉଁମାନେ କରୋନା ବ୍ୟାପୁଥିବା ଅଞ୍ଚଳରୁ ଆସୁଛନ୍ତି ବା ଆସିଛନ୍ତି, ସେମାନଙ୍କ ଉପରେ ତିକ୍ଷ୍ଣ ନଜର ରଖିବା ସହ କୌଣସି ଲକ୍ଷଣ ଥାଉ କିମ୍ବା ନ ଥାଉ ସେମାନଙ୍କୁ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରଖିବା। ଦ୍ୱିତୀୟଟି ହେଉଛି କରୋନା ପାଇଁ କୋଭିଡ-୧୯ ପରୀକ୍ଷଣ ଏବଂ ପଜିଟିଭ୍‌ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖିବା ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ଖୋଜିବା। ସେହିଭଳି ତୃତୀୟଟି ହେଉଛି କରୋନା ପଜିଟିଭ୍‌ ଆସିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ ଲକ୍ଷଣ ଥାଉ କିମ୍ବା ନ ଥାଉ କ୍ୱାରାଣ୍ଟାଇନ୍‌ରେ ରଖିବା। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶକୁ ତୁରନ୍ତ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ସମସ୍ତ ଜିଲାପାଳଙ୍କୁ ସ୍ବାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବର୍ତ୍ତମାନ ବିଦେଶରୁ ଫେରିଥିବା ୨୮୫୬ଜଣ ବ୍ୟକ୍ତି ଜିଲାସ୍ତରୀୟ ସର୍ଭେଲାନ୍ସ ଟିମ୍‌ ନଜରକୁ ଆସିନାହାନ୍ତି। ଏଣୁ ସେମାନଙ୍କ ସହ ଯୋଗାଯୋଗ କରିବା ସହ କ୍ୱାରାଣ୍ଟାଇନ୍‌ରେ ରଖିବା ଲାଗି ବ୍ୟବସ୍ଥା କରିବାକୁ କୁହାଯାଇଥିବା ସୂଚନା ମିଳିଛି।