ଜିରୋ ବଜେଟରେ ପ୍ରାମାଣିକ ଚଳଚ୍ଚିତ୍ର

କଟକ ଅଫିସ,୧୫ା୪: ଦୃଢ ଇଚ୍ଛାଶକ୍ତି ଓ ନିଷ୍ଠା ଥିଲେ ଅସମ୍ଭବରେ ବି ଭରିଦେଇହେବ ସମ୍ଭାବନାର ରଙ୍ଗ। ମିଳିପାରିବ ସଫଳତା। କେତେଜଣ ଯୁବତୀ ଯୁବକ ଏହା ପ୍ରମାଣିତ କରି ଦେଖାଇଛନ୍ତି। ସେମାନେ ଘରେ ରହି ଓ କୌଣସି ମୂଲ୍ୟବାନ ଯନ୍ତ୍ରପାତି ବ୍ୟବହାର ନ କରି ପ୍ରସ୍ତୁତ କରିଛନ୍ତି ଏକ ପ୍ରାମାଣିକ ଚଳଚ୍ଚିତ୍ର। ଏହା କରୋନା ସଚେତନତା ଉପରେ ଆଧାରିତ। ମୋବାଇଲରେ ଶୁଟିଂ ଶେଷ କରିବା ସହ କୌଣସି ଅର୍ଥ ବ୍ୟୟ ବିନା ପ୍ରସ୍ତୁତ ହୋଇଥିବା ଏହି ପ୍ରାମାଣିକ ଚଳଚ୍ଚିତ୍ର ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେଉଛି।
ବର୍ତ୍ତମାନ ଲକ୍‌ଡାଉନ ଯୋଗୁ ସମସ୍ତେ ଘରେ ରହୁଛନ୍ତି। ଫଳରେ ମନୋରଞ୍ଜନର ଖୋରାକ ଦରକାର ପଡ଼ୁଛି। ସୋସିଆଲ ମିଡ଼ିଆ ଉପରେ ଲୋକେ ଏବେ ଅଧିକ ନିର୍ଭରଶୀଳ। ତେଣୁ ଲୋକଙ୍କୁ ନୂତନ ମନୋରଞ୍ଜନମୂଳକ ଭିଡିିଓ ପହଞ୍ଚାଇବାକୁ ଯୋଜନା କରିଥିଲୁ ବୋଲି ଅଭିନେତା ଅନ୍ତର୍ଯ୍ୟାମୀ ମିଶ୍ର କହିଛନ୍ତି। ପ୍ରାମାଣିକ ଚଳଚ୍ଚିତ୍ରର କାହାଣୀ ଓ ଚିତ୍ରନାଟ୍ୟ ଦାୟିତ୍ୱ ତୁଲାଇଛନ୍ତି ଲୋପାମୁଦ୍ରା ବାରିକ। ମୋବାଇଲ ଦ୍ୱାରା ବ୍ୟକ୍ତିଗତ ସ୍ତରରେ ସମସ୍ତେ ଶୁଟିଂ ଶେଷକରି ପଠାଇଥିଲେ। ମହାମାରୀ କରୋନାକୁ ନେଇ ସଚେତନତାମୂଳକ ବାର୍ତ୍ତା ଏହି ପ୍ରାମାଣିକ ଚଳଚ୍ଚିତ୍ରର ପୃଷ୍ଠଭୂମି। ଭାସ୍ବତୀ ବସୁଙ୍କ ଭଳି ନାମୀଦାମୀ କଳାକାରଙ୍କୁ ମଧ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଛି। ଭାସ୍ବତୀଙ୍କ ବ୍ୟତୀତ ଦେବଦତ୍ତ ପତି, ସୌମ୍ୟରଞ୍ଜନ ବେହେରା, ସୂର୍ଯ୍ୟକାନ୍ତ ଛୋଟରାୟ, କ୍ରିଷ୍ଣା ସିଂ, ଶିବାନୀ ପଣ୍ଡା ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ଏହି ପ୍ରାମାଣିକ ଚଳଚ୍ଚିତ୍ରକୁ ରାଜ୍ୟ, ଦେଶ ଓ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି ବୋଲି ଉକ୍ତ ଯୁବପିଢି ପ୍ରକାଶ କରିଛନ୍ତି।