ଜାହ୍ନବୀଙ୍କ ଘରେ କରୋନା

ମୁମ୍ବାଇ: ସାରା ଦୁନିଆକୁ ବର୍ତ୍ତମାନ ହଇରାଣ କରୁଛି କୋଭିଡ୍‌-୧୯ ଭୂତାଣୁ। ଭାରତକୁ ବି ଏଥିରୁ ତ୍ରାହି ମିଳିନି। ଗତ ୨ମାସ ହେଲା ଦେଶରେ ଲକ୍‌ଡାଉନ୍‌ ଚାଲିଥିବାବେଳେ ବଲିଉଡ୍‌କୁ ବି ଏଥିରୁ ନିସ୍ତାର ମିଳିନାହିଁ। ବଲିଉଡ୍‌ର ଅନେକ ତାରକା କରୋନା ସଂକ୍ରମିତ ହେବା ପରେ ଏବେ ଜାହ୍ନବୀ କପୁରଙ୍କ ଘରେ ପହଞ୍ଚିଛି କରୋନା। ଜାହ୍ନବୀ ହେଉଛନ୍ତି ନାମୀଦାମୀ ଫିଲ୍ମ ନିର୍ମାତା ବୋନୀ କପୁରଙ୍କ ଝିଅ। ବୋନୀଙ୍କ ଲୋଖଣ୍ଡଓ୍ବାଲାସ୍ଥିତ ଘରେ କାମ କରୁଥିବା ଜଣେ କର୍ମଚାରୀଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେ ଗତ ଶନିବାରଠାରୁ ଅସୁସ୍ଥ ଥିଲେ। ତେଣୁ ବୋନି ତାଙ୍କୁ ଡାକ୍ତରୀ ଚିକିତ୍ସା ପାଇଁ ପଠାଇବା ସହ ଏକାନ୍ତବାସରେ ରଖିଥିଲେ। ଏବେ ସେହି କର୍ମଚାରୀ ଜଣଙ୍କ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଅଛନ୍ତି। ସେ ଶୀଘ୍ର ଠିକ୍‌ ହୋଇଯିବେ ବୋଲି ଜାହ୍ନବୀଙ୍କ ବାପା ବୋନି କପୁର କହିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ୨ଝିଅ ଏବଂ ଅନ୍ୟ ଷ୍ଟାଫ୍‌ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ସେମାନଙ୍କଠାରେ ସଂକ୍ରମଣର କୌଣସି ଲକ୍ଷଣ ନାହିଁ। ପରିବାରର ସଦସ୍ୟମାନେ ଲୋଖଣ୍ଡଓ୍ବାଲା ସ୍ଥିତ ଘରୁ ଯାଇ ନ ଥିଲେ। ଏନେଇ ଜାହ୍ନବୀ କହିଛନ୍ତି ଯେ, ଏହି ସମୟରେ ଘରେ ରହିବା ସବୁଠୁ ନିରାପଦ। ଆମେ ସମସ୍ତେ ସୁରକ୍ଷିତ ଅଛୁ ବୋଲି ସେ ତାଙ୍କର ଇନ୍‌ଷ୍ଟାଗ୍ରାମରେ ଶେୟାର କରେିଛନ୍ତି। ଏହାକୁ ନେଇ ତାଙ୍କ ଫ୍ୟାନ ମାନେ ତାଙ୍କୁ କମେଣ୍ଟସ୍‌ ମଧ୍ୟ ଦେଇଛନ୍ତି। ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ କମେଣ୍ଟସ୍‌ରେ କହିଛନ୍ତି ଯେ, ଥାଙ୍କ୍‌ ଗଡ୍‌ ତୁମେ ସୁରକ୍ଷିତ ଅଛ।

Share