ଜାଲ ଟିକଟ ବିକ୍ରି ଅଭିଯୋଗରେ ୨ ଗିରଫ

ବାଲେଶ୍ୱର ଅଫିସ,୨୩।୧-ଜାଲ ଟିକଟ ବିକ୍ରି କରୁଥିବା ଅଭିଯୋଗରେ ରେଲୱେ ଡିଭିଜନାଲ ଟାସ୍କଫୋର୍ସ ଟିମ୍‌ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସୋର ଅଞ୍ଚଳର ଜଗନ୍ନାଥ ଦାସ ଓ ରେଳ ବିଭାଗର ଆର୍‌ଏମ୍‌ଏସ୍‌୍‌ କର୍ମଚାରୀ ହେମନ୍ତ ପୃଷ୍ଟି ରେଳ ଟିକଟକୁ କଳାବଜାରୀ ମାଧ୍ୟମରେ ରାଜ୍ୟ ବାହାରକୁ ଚାଲାଣ କରୁଥିଲେ। ଖବରପାଇ ଉକ୍ତ ଟିମ୍‌ ଅଭିଯୁକ୍ତମାନଙ୍କୁ ଠାବ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ବୁଧବାର ପୂର୍ବାହ୍ନ ୧୧ଟାରେ ସୋର ରେଳଷ୍ଟେଶନରୁ ହାଇଦ୍ରାବାଦ-ହାୱଡ଼ା ଏକ୍ସପ୍ରେସ୍‌ରେ ଚଢ଼ି ଯାଉଥିବା ଜଗନ୍ନାଥଙ୍କୁ ଟିମ୍‌ ଗିରଫ କରିବା ପରେ ବାଲେଶ୍ୱରରେ ହେମନ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧୭ହଜାର ୨୩୫ ଟଙ୍କା ମୂଲ୍ୟର ୫ଟି ତତ୍କାଳ ଟିକଟ ସହ ନଗଦ ୪ହଜାର ୧ଶହ ଟଙ୍କା ଜବତ କରାଯାଇଥିବା ଟିମ୍‌ର ଏଏସ୍‌ଆଇ ସତ୍ୟରଞ୍ଜନ ମଲ୍ଲିକ ପ୍ରକାଶ କରିଛନ୍ତି।