ଜାତୀୟ ସ୍ମୃତି ହେବ ଗୋପବନ୍ଧୁଙ୍କ ଜନ୍ମପୀଠ: ସୁଆଣ୍ଡୋରେ ୫-ଟି ସଚିବ

ସାକ୍ଷୀଗୋପାଳ,୨୭ା୧(ଡି.ଏନ.ଏ)- ଉକତ୍ଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମପୀଠକୁ ଜାତୀୟ ସ୍ମୃତି ଭାବେ ସଂରକ୍ଷିତ କରାଯିବାକୁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି କାର୍ତ୍ତିକେୟାନ ପାଣ୍ଡିଆନ ରବିବାର ଅପରାହ୍ନରେ ପୁରୀ ଜିଲା ସତ୍ୟବାଦୀ ବ୍ଲକର ସୁଆଣ୍ଡୋ ଗ୍ରାମ ଗସ୍ତରେ ଆସିଛନ୍ତି। ଗ୍ରାମ ମନ୍ଦିର ଉନ୍ନୟନ ସହ ଗୋପବନ୍ଧୁଙ୍କ ପୈତୃକ ବାସଗୃହର ପୁନରୁଦ୍ଧାର କରାଯାଇ ଏହାକୁ ଜାତୀୟ ସ୍ମୃତି ଉଦ୍ଦେଶ୍ୟରେ ସଂରକ୍ଷିତ କରାଯିବ। ଏଥିପାଇଁ ଜମି ହସ୍ତାନ୍ତର ନେଇ ପରିବାରର ସଦସ୍ୟମାନଙ୍କ ସହ ଆଲୋଚନାକ୍ରମେ ଉକ୍ତ ପ୍ରକଳ୍ପର ରୂପରେଖ ଚୂଡ଼ାନ୍ତ ହେବ ବୋଲି ଜଣାପଡିଛି। ସଚିବଙ୍କ ସହିତ ପୁରୀ ଜିଲାପାଳ ବଲଓ୍ବନ୍ତ ସିଂହ, ଅତିରିକ୍ତ ଜିଲାପାଳ ପ୍ରଦୀପ ସାହୁ, ଇଡକୋର ସିଏମଡି ବିନ୍ଧେଶ୍ୱର ପାତ୍ର, ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ ଓ ଇଂ ଶାନ୍ତନୁ କୁମାର ଜେନା ପ୍ରମୁଖ ଅଧିକାରୀ ଗୋପବନ୍ଧୁ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ପୁରାତନ ବାସଗୃହ, ଗ୍ରାମ ମନ୍ଦିର, ବିଦ୍ୟାଳୟ ଆଦି ପରିଦର୍ଶନ କରିଥିଲେ। ଜମି ହସ୍ତାନ୍ତର ନେଇ ସଚିବ ଓ ଜିଲାପାଳ ପରିବାରର ସଦସ୍ୟ ଧିରେନ୍ଦ୍ର ନାଥ ଦାସ ଓ ରବୀନ୍ଦ୍ର ନାଥ ଦାସ ଏବଂ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।