Categories: ଜାତୀୟ

ଜାତୀୟ ସଙ୍ଗୀତ ଗାନ ସମୟରେ ମହିଳା ସୁରକ୍ଷାକର୍ମୀ ଅଚେତ: ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ରାଷ୍ଟ୍ରପତି, ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୯।୧୦: ଦିଲ୍ଲୀର ଏକ କାର୍ଯ୍ୟକ୍ରମ ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଅର୍ଥମନ୍ତ୍ରୀ ସୀତାରାମନ ଓ ଅର୍ଥ ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁର ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ଦିଲ୍ଲୀରେ ନ୍ୟାଶନାଲ କର୍ପୋରେଟ ସୋସିଆଲ ରେସ୍‌ପନ୍ସିବିଲିଟି ଆଓ୍ବାର୍ଡ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରୁ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ସେହି ସମୟରେ ସେଠାରେ ମୁତୟନ ଥିବା ଜଣେ ମହିଳା ସୁରକ୍ଷାକର୍ମୀ ଅଚେତ ହୋଇପଡ଼ିଥିଲେ। ଏନେଇ ସୂଚନା ମିଳିବା ପରେ ରାଷ୍ଟ୍ରପତି, ଅର୍ଥମନ୍ତ୍ରୀ ଓ ରାଜ୍ୟମନ୍ତ୍ରୀ ନିଜର ପ୍ରୋଟୋକଲ ଭାଙ୍ଗି ମଞ୍ଚ ତଳକୁ ଓହ୍ଲାଇ ସୁରକ୍ଷାକର୍ମୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ରାଷ୍ଟ୍ରପତିଙ୍କ ଏଭଳି କାର୍ଯ୍ୟ ଯୋଗୁ ତାଙ୍କୁ ପ୍ରଶଂସା କରାଯାଇଛି। ପ୍ରଥମ ଥର ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ସିଏସ୍‌ଆର ସ୍ତରରେ ଉଲ୍ଲେଖନୀୟ ଅବଦାନ ଥିବା କମ୍ପାନୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ପୁରସ୍କାର ଦିଆଯାଇଥିଲା।

Share