Categories: ଖେଳ

ଜାତୀୟ ରେକର୍ଡ ସହ ଦୂତୀଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୧।୧୦(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ନିଜ ଜାଜ୍ଜୁଲ୍ୟମାନ କ୍ୟାରିୟରରେ ଆଉ ଏକ ସଫଳତାଫର୍ଦ୍ଦ ଯୋଡ଼ିଛନ୍ତି। ରାଞ୍ଚତ୍ରେ ଚାଲିଥିବା ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମହିଳା ୧୦୦ ମିଟର ଇଭେଣ୍ଟରେ ଜାତୀୟ ରେକର୍ଡ ଭାଙ୍ଗିଛନ୍ତି ଏହି ଓଡ଼ିଆ ଆଥଲେଟ୍‌। କେବଳ ସେତିକି ନୁହେଁ ସେ ସ୍ବର୍ଣ୍ଣ ପଦକ ହାସଲ କରି ଏହି ସଫଳତାକୁ ଅଧିକ ସ୍ମରଣୀୟ କରିଛନ୍ତି। ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ଅନୁଷ୍ଠିତ ସେମିଫାଇନାଲରେ ସେ ୧୧.୨୨ ସେକେଣ୍ଡ ସମୟ ନିଜ ନାମରେ ଥିବା ଜାତୀୟ ରେକର୍ଡ ଟାଇମିଂରେ ଉନ୍ନତି ଆଣିଛନ୍ତି। ଗତ ଏପ୍ରିଲରେ ଦୋହାଠାରେ ଅନୁଷ୍ଠିତ ଇଭେଣ୍ଟରେ ସେ ୧୧.୨୬ ସେକେଣ୍ଡ ସମୟ ନେଇ ଜାତୀୟ ରେକର୍ଡର ଅଧିକାରିଣୀ ଥିଲେ। ଏଠାରେ ଚାଲିଥିବା ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମହିଳା ୧୦୦ ମିଟର ଫାଇନାଲରେ ପ୍ରବେଶ କରିଥିବା ଆଥଲେଟ୍‌ଙ୍କ ମଧ୍ୟରେ ଦୂତୀ ସବୁଠାରୁ କମ୍‌ ସମୟ ନେଇଥିଲେ। ଗୁରୁବାର ଅନୁଷ୍ଠିତ ହିଟ୍‌ରେ ସେ ୧୧.୫୫ ସେକେଣ୍ଡ ସମୟ ନେଇଥିଲେ। ସେମିଫାଇନାଲ ବେଳକୁ ସେ ନିଜ ଟାଇମିଂରେ ବହୁ ଉନ୍ନତି ଆଣିବାରେ ସକ୍ଷମ ହୋଇଛନ୍ତି। ଫାଇନାଲରେ ଦୂତୀ ସେମିଫାଇନାଲର ପ୍ରଦର୍ଶନକୁ ଦୋହରାଇ ପାରି ନ ଥିଲେ ହେଁ ୧୧.୨୫ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ତାମିଲନାଡ଼ୁର ଅର୍ଚନା ସୁସେନ୍ଦ୍ରନ ୧୧.୫୪ ଓ ରେଲଓ୍ବେର ହିମାଶ୍ରୀ ରୟ ୧୧.୫୭ ସେକେଣ୍ଡ ସମୟ ନେଇ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ଦୂତୀଙ୍କ ଟାଇମିଂ
ହିଟ୍‌: ୧୧.୫୫ ସେକେଣ୍ଡ
ସେମିଫାଇନାଲ: ୧୧.୨୨ ସେକେଣ୍ଡ
ଫାଇନାଲ ୧୧.୨୫ ସେକେଣ୍ଡ

Share