ଜାତୀୟ ରାଜପଥ ମାନ୍ୟତା ପାଇଁ ଦାବିପତ୍ର

କପ୍ତିପଦା,୧୦ା୧୨(ଡି.ଏନ.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଦେଇ ଟି.ଡି.ପି.ୟୁ ଏମ.ବି.ଆର(ଠାକୁରମୁଣ୍ଡା, ଡଙ୍ଗାଡିହା, ପୋଡାଡିହା,ଉଦଳା,ମାଣତ୍ରୀ,ବୈଶିଙ୍ଗା ଓ ରୂପସା) ଏମଡିଆର-୭୦ ଏକ ରାସ୍ତା ରହିଛି। ଏହି ରାସ୍ତାକୁ ଜାତୀୟ ରାଜପଥର ମାନ୍ୟତା ଦେବା ପାଇଁ ଅଞ୍ଚଳବାସୀ ଅଣ୍ଟା ଭିଡ଼ିଛନ୍ତି। ପ୍ରଦୀପ କୁମାର ରାଉତ, ବିକାଶ ରଞ୍ଜନ ନାୟକ, ରାଜେଶ ନାୟକ, ଜୟରାମ ମାରାଣ୍ଡି ଓ ରଘୁ ସିଂଙ୍କ ନେତୃତ୍ୱରେ ୨୫୦୦ ଲୋକଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ମୟୂରଭଞ୍ଜ ଏମ୍‌ପି ଇଂ. ବିଶେଶ୍ୱର ଟୁଡୁଙ୍କ୍‌ୁ ସେମାନେ ପ୍ରଦାନ କରିଛନ୍ତି। ଉଦଳା ବିଧାୟକ ଭାସ୍କର ମଢେଇ ଓ ବଡସାହି ବିଧାୟକ ସନାତନ ବିଜୁଳି ମଧ୍ୟ ନିଜ ନିଜ ପ୍ୟାଡରେ ଏହି ରାସ୍ତା ନିର୍ମାଣର ଆବଶ୍ୟକତା ସମ୍ପର୍କରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତୀନ ଗଡକରୀଙ୍କ ଉଦ୍ଦେଶ୍ୟରେ ଏମପିଙ୍କୁ ଲିଖିତ ଦାବି ଜଣାଇଛନ୍ତି। ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ଏମପି ଟୁଡୁ ଏ ସଂକ୍ରାନ୍ତରେ କେନ୍ଦ୍ର ପରିବହନ ମନ୍ତ୍ରୀ ଗଡକରୀଙ୍କୁ ସାକ୍ଷାତ କରି ସମସ୍ୟା ସମ୍ପକରେ ଅବଗତ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳର ପାରିପାର୍ଶ୍ୱିକ ସ୍ଥିତି, ଆଦିବାସୀ ଲୋକଙ୍କ ବିକାଶ ଓ ଏହା ରାସ୍ତା କିପରି ସେମାନଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧିରେ ସହାୟକ ହୋଇ ପାରିବ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଛନ୍ତି। ୨୦୨୦ରେ ଏସମ୍ପର୍କରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଏମପି କହିଛନ୍ତି। ଫଳରେ ଏହି ରାସ୍ତା ଆଗାମୀ ଦିନରେ ଜାତୀୟ ରାଜପଥର ମାନ୍ୟତା ପାଇବ ବୋଲି ଆଶା ଉଦ୍ରେକ ହୋଇଛି। ଠାକୁରମୁଣ୍ଡାରୁ ରୂପସା, ବାଲେଶ୍ୱର ପର୍ଯ୍ୟନ୍ତ ଦୀର୍ଘ ୧୦୪ କି.ମିର ଏହି ରାସ୍ତା ରହିଛି। ଏହି ରାସ୍ତା ଜାତୀୟ ରାଜପଥର ମାନ୍ୟତା ପାଇଲେ ଏହା ରାଉରକେଲା, କଲିକତା ଓ କେନ୍ଦୁଝର ଜାତୀୟ ରାଜପଥ ସହିତ ସଂଯୋଗ କରିବ। ଏହା ସହିତ ଏହି ଅଞ୍ଚଳରେ ଗମନାଗମନ ଓ ପରିବହନ ସୁଗମ ହେବ। ଏହି ଅଞ୍ଚଳରେ ୭୦ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକ ଆଦିବାସୀ ସମ୍ପ୍ରଦାୟର। ଏମାନଙ୍କ ମଧ୍ୟରୁ ବିଶେଷକରି ଶ୍ରମିକ, ଦିନ ମଜୁରିଆ ଓ କୃଷକଙ୍କ ସଂଖ୍ୟା ଅଧିକ। ଏମାନେ ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଥିବା ବେଳେ ସେମାନଙ୍କର ଆର୍ଥିକ ମାନଦଣ୍ଡ ମଧ୍ୟ ଗରିବ ସୀମା ରେଖା ତଳେ ରହିଛି। ଏହି ରାସ୍ତା ନିର୍ମାଣ ହେଲେ ସେମାନେ ବାଲେଶ୍ୱର, କଲିକତା, ବାଦାମପାହାଡ ଓ ବଡବିଲ ଆଦି ଶିଳ୍ପାଞ୍ଚଳକୁ ଯାଇ ନିଜ ନିଜର ଆର୍ଥିକ ମାନଦଣ୍ଡକୁ ସୁଦୃଢ କରି ପାରିବେ ବୋଲି ଜଣାଯାଇଛି। ଉକ୍ତ ରାସ୍ତା ନିର୍ମାଣରେ ଫିଜିବିଲିଟି ରିପୋର୍ଟ ଯଥା ଲ୍ୟାଣ୍ଡ ଡିସପୁଟ, ଜଙ୍ଗଲଜମିି ସମସ୍ୟା ଆଦି ରହିବ ନାହିଁ ବୋଲି ମଧ୍ୟ ଉଲ୍ଲେଖ ରହିଛି। ତେଣୁ କେନ୍ଦ୍ର ପରିବହନ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଇ ଦାବିକୁ କାର୍ଯ୍ୟକାରୀ କରିବା ପାଇଁ ଦାବି ହୋଇଛି।