Categories: ଖେଳ

ଜାତୀୟ ମହିଳା ହକି କ୍ୟାମ୍ପରେ ୫ ଓଡ଼ିଆ

ନୂଆଦିଲ୍ଲୀ,୧।୯(ପି.ଟି.): ସୋମବାରଠାରୁ ବେଙ୍ଗାଲୁରୁର ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ପରିସରରେ ଆରମ୍ଭ ହେବାକୁ ଯାଉଥିବା ଜାତୀୟ ମହିଳା ପ୍ରଶିକ୍ଷଣ ଶିବିର ପାଇଁ ହକି ଇଣ୍ଡିଆ ଏକ ୩୩ ଜଣିଆ ଦଳ ଘୋଷଣା କରିଛି। ଏଥିରେ ୫ ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦୀପ୍‌ଗ୍ରେସ ଏକ୍କା, ସୁନୀତା ଲାକ୍ରା, ରଶ୍ମିତା ମିଞ୍ଜ୍‌, ଲିଲିମା ମିଞ୍ଜ୍‌ ଓ ନମିତା ଟପ୍ପୋ। ୩ ସପ୍ତାହ ଧରି ଚାଳିବାକୁ ଥିବା ଏହି ଶିବିର ସେପ୍ଟେମ୍ବର ୨୨ ତାରିଖରେ ଶେଷ ହେବ। ଏହାପରେ ବଶ୍ୱ ର଼୍ୟାଙ୍କିଙ୍ଗ୍‌ ୧୦ ନମ୍ବର ଦଳ ଭାରତ ୫ ମ୍ୟାଚ୍‌ ବିଶିଷ୍ଟ ଦ୍ୱିପାକ୍ଷିକ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଯାତ୍ରା କରିବ।
ଟୋକିଓରେ ଖେଳାଯାଇଥିବା ଅଲିମ୍ପିକ ଟେଷ୍ଟ ଇଭେଣ୍ଟରେ ଭାରତ ପ୍ରଦର୍ଶନ ଭଲ ହୋଇଥିଲା। ଏବେ ଦଳ ଅଲିମ୍ପିକ୍ସ କ୍ୱାଲଫାୟର୍ସ ଉପରେ ଫୋକସ କରିବ। ଏଥିପାଇଁ ଏହି ଶିବିର କାମରେ ଆସିବ। ଏହି ଶିବିରରେ ଅଭ୍ୟାସ କରିବା ସହ ଖେଳାଳିମାନେ ଲୟ ଫେରିଫାଇବେ ଓ କ୍ୱାଲିଫାୟର ପାଇଁ ହୋମ ଓ୍ବାର୍କ କରିବେ ବୋଲି କୋଚ୍‌ ଜୋଏର୍ଡ ମାରିଜନେ କହିଛନ୍ତି। ଏହାପରେ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ଖେଳିବା ଦ୍ୱାରା ଦଳ ଆହୁରି ଅଭିଜ୍ଞ ଓ ଶକ୍ତିଶାଳୀ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏହି ଶିବିର ଦ୍ୱାରା ଖେଳାଳିମାନେ ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ସକ୍ଷମ ହେବେ ବୋଲି ସେ କହିଛନ୍ତି।
ଇତିମଧ୍ୟରେ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଗୁରୁବାର ଭାରତୀୟ ମହିଳା ଦଳ ତା’ର ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚଗୁଡିକ ଘରୋଇ ପରିବେଶରେ ଖେଳିବ ବୋଲି ଘୋଷଣା କରିଛି। ଫଳରେ ଏହା ଭାରତ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ। ଏବେ କେବଳ ପ୍ରଦର୍ଶନ ଉପରେ ଖେଳାଳିମାନେ ମନୋନିବେଶ କରିବେ। ଦଳ ପସ୍ତୁତିରେ ଏହି ଶିବିର ବେଶ୍‌ ସହାୟକ ହେବ ବୋଲି ମାରିଜନେ କହିଛନ୍ତି।
ସମ୍ଭାବ୍ୟ ଦଳ:
ଗୋଲକିପର- ସବିତା, ରଜନୀ ଏଟିମାର୍ପୁ, ବିଚୁ ଦେବୀ ଖରିବାମ୍‌।
ଡିଫେଣ୍ଡର- ଦୀପ୍‌ଗ୍ରେସ ଏକ୍କା, ରିନା ଖୋଖାର, ସୁମନ ଦେବୀ ଥୋଉଡାମ, ସୁନୀତା ଲାକ୍ରା, ସଲିମା ଟେଟେ, ମନପ୍ରୀତ କୌର, ରଶ୍ମିତା ମିଞ୍ଜ୍‌, ମହିମା ଚୌଧୁରୀ, ନିଶା।
ମିଡ୍‌ଫିଲ୍ଡର- ନିକ୍କି ପ୍ରଧାନ, ମୋନିକା, ନେହା ଗୋଏଲ, ଲିଲିମା ମିଞ୍ଜ୍‌, ସୁଶୀଳା ଚାନୁ ପୁଖରାମବାମ୍‌, ଚେତନା, ରିତ୍‌, କରିଶ୍ମା ଯାଦବ, ସୋନିକା, ନମିତା ଟୋପ୍ପୋ।
ଫରଓ୍ବାର୍ଡ- ରାନୀ ଲାଲରେମସିଆମି, ବନ୍ଦନା କାଟାରିୟା, ନଭଜୋତ କୌର, ନବନୀତ କୌର, ରାଜବିନ୍ଦର କୌର, ଜ୍ୟୋତି, ଶର୍ମିଳା ଦେବୀ, ପ୍ରୟଙ୍କା ଓ୍ବାଙ୍ଖଡେ ଓ ଉଦିତା।

Share