ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଅଗ୍ନିକାଣ୍ଡ: ପ୍ରାୟ ୧୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ସୂଚନା

କଟକ ଅଫିସ,୭।୧୨: କଟକ ଜିଲା ବିଦ୍ୟାଧରପୁରରେ ଥିବା ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ସର୍ଟଶର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏଥିରେ କେହି ଆହତ ହୋଇ ନ ଥିବା ବେଳେ ପ୍ରାୟ ୧୦ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଅପରାହ୍ନ ସାଢେ ୧୨ଟା ସମୟରେ ଗବେଷଣା କେନ୍ଦ୍ରରେ ନୂତନ ଭାବେ କାର୍ଯ୍ୟ ଚାଲୁଥିବା ଅଡିଟୋରିୟମ ହଲ୍‌ରେ ନିଆଁ ଲାଗିଯାଇଥିଲା। କିଛି ସମୟ ମଧ୍ୟରେ ନିଆଁ ଅଡିଟୋରିୟମକୁ ଲାଗି ଥିବା ଅନ୍ୟ ଏକ କୋଠରୀକୁ ବ୍ୟାପି ଯାଇଥିଲା। ଏନେଇ ଗବେଷଣା କେନ୍ଦ୍ର କର୍ତ୍ତୃପକ୍ଷ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡରେ ଅଡିଟୋରିୟମ ହଲ୍‌ରେ ଲାଗିଥିବା ଦାମି ପ୍ଲାଏ ବୋର୍ଡ ସମ୍ପୂର୍ଣ୍ଣ ପୋଡ଼ି ଯାଇଛି। ଅଗ୍ନିଶମ ବିଭାଗର ୩ଟି ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ କରିଥିଲେ। ପ୍ରାଥମିକ ତଦନ୍ତରୁ ସର୍ଟଶର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି।