ଜାତୀୟ ଚୁମ୍ବନ ଦିବସ: ୧୦ସେକେଣ୍ଡର ୮୦ ନିୟୁତ ଅଣୁଜୀବ ଚୁମ୍ବନରେ ହୋଇଥାନ୍ତି ସଂକ୍ରମିତ

ଲଣ୍ଡନ,୬।୭: ଜୁଲାଇ ୬ରେ ବ୍ରିଟେନ୍‌ରେ ଜାତୀୟ ଚୁମ୍ବନ ଦିବସ ପାଳିତ ହୋଇଥାଏ। ଏଠାରେ ଗତ ୧୪ ବର୍ଷ ଧରି ଏହା ପାଳିତ ହେଉଛି। ସ୍ନେହ ଓ ପ୍ରେମର ପରିପ୍ରକାଶ ଭାବେ ଚୁମ୍ବନକୁ ଗ୍ରହଣ କରାଯାଇଥାଏ। ମା’ ସନ୍ତାନଙ୍କୁ ସ୍ନେହରେ ଚୁମ୍ବନ ଦେଇଥାନ୍ତି। ସେହିପରି ପ୍ରେମୀ ଯୁଗଳ ପରସ୍ପର ମଧ୍ୟରେ ସମ୍ପର୍କକୁ ଦୃଢ଼ କରିବା ତଥା ଆବେଗର ନିଦର୍ଶନ ସ୍ବରୂପ ଚୁମ୍ବନ ଦେଇଥାନ୍ତି। କିନ୍ତୁ ଚୁମ୍ବନ ଦେବା ସମୟରେ ଓଠରେ ଥିବା ମାରାତ୍ମକ ଅଣୁଜୀବ ଦ୍ୱାରା ବିଭିନ୍ନ ରୋଗ ହୋଇଥାଏ ବୋଲି ଗବେଷକ ସୂଚିତ କରିଛନ୍ତି। ଏହା ପ୍ରେମ ଓ ସ୍ନେହର ନିଦର୍ଶନ ବଦଳରେ ବିଷ ସ୍ଥାନାନ୍ତରର ଏକ ମାଧ୍ୟମ ପାଲଟି ଯାଇଥାଏ । ମାତ୍ର ୧୦ସେକେଣ୍ଡର ଚୁମ୍ବନରେ ୮୦ ନିୟୁତ ଅଣୁଜୀବ ସଂକ୍ରମିତ ହୋଇଥାନ୍ତି। ଯାହାକି କୌଣସି ଉତ୍କଟ ବିଷଠାରୁ ଅନେକ ଗୁଣା କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଅତି ନିବିଡଭାବେ ଚୁମ୍ବନ ସମୟରେ ଲାଳ ମଧ୍ୟରେ ବିଭିନ୍ନ ଅଣୁଜୀବ ମୁଖଗହ୍ବର ଦେଇ ଶରୀର ମଧ୍ୟକୁ ପ୍ରବେଶ କରିଥାନ୍ତି ବୋଲି ଗବେଷକ ସୂଚିତ କରିଛନ୍ତି। ଏହି ଗବେଷଣାରେ ଦିନକୁ ୧୦ଥର ଚୁମ୍ବନ ଦେଉଥିବା ବ୍ୟକ୍ତି ତଥା ଦିନକୁ ଏହାଠାରୁ ଅଧିକ ଚୁମ୍ବନ ଦେଉଥିବା ଲୋକଙ୍କ ଉପରେ ଅନୁଧ୍ୟାନ କରାଯାଇଥିଲା। ଗବେଷକ ୧୭ରୁ ୪୫ ବର୍ଷ ବୟସ୍କ ଲୋକଙ୍କ ଉପରେ ଦୀର୍ଘ ଦିନ ଧରି ଅନୁଧ୍ୟାନ କରିଥିଲେ। ଜଣା ପଡିଥିଲା ଚୁମ୍ବନ ଆଦାନପ୍ରଦାନ କରୁଥିବା ଦୁଇ ବ୍ୟକ୍ତିଙ୍କ ମୁଖରେ ଏକ ପ୍ରକାର ଅଣୁଜୀବ ବାସ କରିଥାନ୍ତି। ଯାହାକି ଚୁମ୍ବନ ମାଧ୍ୟମରେ ସଂକ୍ରମିତ ହୋଇଥାଏ।

Share