Categories: ଖେଳ

ଜାତୀୟ ଓପନ ଆଥଲେଟିକ୍ସ: ସେମିରେ ଦୂତୀ, ଅମିୟ

ଭୁବନେଶ୍ୱର, ୧୧।୧୦(କ୍ରୀଡ଼ା ପ୍ରତିନିଧି)- ରାଞ୍ଚିରେ ଗୁରୁବାରଠାରୁ ଆରମ୍ଭ ହୋଇଛି ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୫୯ତମ ସଂସ୍କରଣ। ପ୍ରଥମ ଦିବସରେ ଅନୁଷ୍ଠିତ ୧୦୦ ମିଟର ରେସ୍‌ରେ ଓଡ଼ିଶାର ଦୁଇ ତାରକା ଆଥଲେଟ୍‌ ଦୂତୀ ଚାନ୍ଦ ଓ ଅମିୟ କୁମାର ମଲିକ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ହିଟ ନଂ- ୩ରେ ରେସ୍‌ କରିଥିବା ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ୧୧.୫୫ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଥିଲେ। ଟାଇମିଂ କ୍ଷେତ୍ରରେ ସେ କେବଳ ନିଜ ହିଟ୍‌ରେ ନୁହେଁ ୪ଟି ହିଟ୍‌ରେ ଭାଗ ନେଇଥିବା ୨୩ ପ୍ରତିଯୋଗୀଙ୍କୁ ପଛରେ ପକାଇଦେବାରେ ସକ୍ଷମ ହୋଇଛନ୍ତି। ଏହା ଏକ ଓପନ ପ୍ରତିଯୋଗିତା ହୋଇଥିବାରୁ ଦେଶ ବାହାରୁ ପ୍ରତିଯୋଗୀ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ପ୍ରଦର୍ଶନରେ ମୁଁ ଖୁସି ଅଛି। ସେମିଫାଇନାଲ ଓ ଫାଇନାଲ ବେଳକୁ ଟାଇମିଂରେ ଅଧିକ ଉନ୍ନତି ଆଣିବାକୁ ଆଶା ରଖିଛି ବୋଲି ଜାତୀୟ ରେକର୍ଡର ଅଧିକାରିଣୀ ଦୂତୀ ପ୍ରକାଶ କରିଛନ୍ତି। ସେହିପରି ବେଶ୍‌ କିଛିଦିନ ଟ୍ରାକ୍‌ରୁ ଦୂରରେ ରହିଥିବା ଅମିୟ ପୁଣି ଚମକ ଦେଖାଇବା ଆରମ୍ଭ କରିଛନ୍ତି। ଜାତୀୟ ରେକର୍ଡର ଅଧିକାରୀ ଅମିୟ ହିଟ୍‌ ନଂ-୬ରେ ଦୌଡ଼ି ୧୦.୫୦ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ଶୁକ୍ରବାର ସେମିଫାଇନାଲ ଓ ଫାଇନାଲ ଅନୁଷ୍ଠିତ ହେବ।

Share