ଜାତିସଂଘରେ ନିଜର ସଫଳ ଭାଷଣ ପାଇଁ ସ୍ତ୍ରୀଙ୍କୁ ଶ୍ରେୟ ଦେଲେ ଇମ୍ରାନ

ଇସଲାମାବାଦ,୩୦।୯: ୟୁଏନଜିଏରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଶ୍ମୀର ସମ୍ପର୍କରେ ପଦୁଟିଏ କହି ନ ଥିବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଅନ୍ତର୍ଜାତୀୟ ସମୁଦାୟ ଆଗରେ ଏହି ପ୍ରସଙ୍ଗ ଉଠାଇଥିଲେ। ଇମ୍ରାନ ୫୦ ମିନିଟ ଭାଷଣର ଅଧା ସମୟ କଶ୍ମୀର ପ୍ରସଙ୍ଗରେ କହିଥିଲେ। ଜାତିସଂଘରେ ଏହା ତାଙ୍କ ସଫଳ ଭାଷଣ ବୋଲି ସେ ନିଜେ ମନେ କରୁଛନ୍ତି। ରବିବାର ସ୍ବଦେଶ ଫେରିବା ପରେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଆଗରେ ନିଜ ତୃତୀୟ ସ୍ତ୍ରୀ ବୁଶରା ବିବିଙ୍କୁ ଧନ୍ୟବାଦ ଦେଇଛନ୍ତି। ବୁଶରାଙ୍କୁ ଯୋଗୁ ମୁଁ ଜାତିସଂଘରେ ସଫଳ ଭାଷଣ ରଖିପାରିଲି ବୋଲି ଇମ୍ରାନ ନିଜ ପ୍ରତିକ୍ରିୟାରେ କହଛନ୍ତି। ସୂଚନାଯୋଗ୍ୟ, ଇମ୍ରାନ ଜାତିସଂଘରେ କହିଥିଲେ, ଭାରତ ଜମ୍ମୁ-କଶ୍ମୀରର ସ୍ବାୟତ୍ତତା ପ୍ରତ୍ୟାହାର କରି ଜାତିସଂଘ ସୁରକ୍ଷା ପରିଷଦର ୧୧ ସଂକଳ୍ପନାମା, ଶିମ୍ଲା ରାଜିନାମା ଓ ନିଜ ସମ୍ବିଧାନକୁ ଉଲ୍ଲଂଘନ କରିଛି। ଏହାକୁ ନେଇ ଆଣବିକ ଅସ୍ତ୍ରସମ୍ପନ୍ନ ଦୁଇ ପଡ଼ୋଶୀ ମୁହାଁମୁହିଁ ହେଲେ ପରିଣାମ ଭୟାବହ ହେବ।

Share