ଜାତିସଂଘକୁ ସୋଲାର ପାର୍କ ଉପହାର

ନ୍ୟୁୟର୍କ,୨୬ା୯(ପି.ଟି.): ଜାତିସଂଘ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧୀ ସୋଲାର ପାର୍କ ଏବଂ ଗାନ୍ଧୀ ଶାନ୍ତି ଉଦ୍ୟାନକୁ ଉଦ୍‌ଘାଟନ କରିଛନ୍ତି। ଏଥିସହିତ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଜାତିସଂଘ ଦ୍ୱାରା ଜାରି ସ୍ମାରକୀ ଷ୍ଟାମ୍ପ୍‌କୁ ପ୍ରଧାନମନ୍ତ୍ରୀ ଅନ୍ୟ ନେତାମାନଙ୍କ ଗହଣରେ ଉନ୍ମୋଚନ କରିଥିଲେ। ଅକ୍ଷୟ ଶକ୍ତି ପାଇଁ ଭାରତର ଉଦ୍ୟମ ଉପରେ ମୋଦି ଗୁରୁତ୍ୱାରୋପ କରିଥିଲେ। ସମସାମୟିକ ବିଶ୍ୱରେ ଗାନ୍ଧିଜୀଙ୍କ ପ୍ରଭାବ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ, ଗାନ୍ଧିଜୀଙ୍କୁ ଆଦୌ ଭେଟି ନ ଥିବା ବ୍ୟକ୍ତି ମଧ୍ୟ ତାଙ୍କ ଜୀବନୀ ଦ୍ୱାରା ଗଭୀର ଭାବେ ପ୍ରଭାବିତ। ମାର୍ଟିନ ଲୁଥର କିଙ୍ଗ ଜୁନିୟର ଏବଂ ନେଲସନ ମଣ୍ଡେଲାଙ୍କ ପ୍ରତିଷ୍ଠାର ମୂଳ ଆଧାର ଗାନ୍ଧିଜୀ ଓ ତାଙ୍କ ଦୂରଦୃଷ୍ଟି ଥିଲା। ଏବେ ଗଣତନ୍ତ୍ର କହିଲେ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ସରକାର ଏବଂ ସେମାନଙ୍କ ଆଶା ଆକାଂକ୍ଷାକୁ ନେଇ କାର୍ଯ୍ୟ କରୁଥିବା ସରକାରକୁ ବୁଝାଉଛି। କିନ୍ତୁ ଗାନ୍ଧିଜୀ ଗଣତନ୍ତ୍ରର ପ୍ରକୃତ ଶକ୍ତି ଉପରେ ଗୁରୁତ୍ୱ ଦେଉଥିଲେ। ସେ ଲୋକଙ୍କୁ ସରକାରଙ୍କ ଉପରେ ନିର୍ଭରଶୀଳ ନ ହୋଇ ଆତ୍ମନିର୍ଭରଶୀଳ ହେବାକୁ ଶିକ୍ଷା ଦେଉଥିଲେ ବୋଲି ଜାତିସଂଘରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି। ଜଳବାୟୁ ପରିବର୍ତ୍ତନ ହେଉ, କି ଆତଙ୍କବାଦ, ଦୁର୍ନୀତି ହେଉ କିମ୍ବା ସାଧାରଣ ଜୀବନରେ ସ୍ବାର୍ଥପରତା ହେଉ, ଗାନ୍ଧିଜୀଙ୍କ ଚିନ୍ତାଧାରା ଆମକୁ ମାର୍ଗଦର୍ଶନ ଦେଇଆସିଛି। ଗାନ୍ଧିଜୀଙ୍କ ପ୍ରଦର୍ଶିତ ମାର୍ଗ ଆମକୁ ଏକ ଉତ୍ତମ ବିଶ୍ୱ ଆଡ଼କୁ ଆଗେଇନେବ ବୋଲି ମୋଦି ବିଶ୍ୱାସ ପ୍ରକଟ କରିଥିଲେ।

Share