ଜାତିଭିତ୍ତିକ ଜନଗଣନା ନିଷ୍ପତ୍ତିକୁ ବିରୋଧୀଙ୍କ ସମାଲୋଚନା

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ରାଜ୍ୟରେ ସାମାଜିକ, ଆର୍ଥିକ ଏବଂ ଜାତିଭିତ୍ତିକ ଜନଗଣନା ହେବ। ୨୦୨୧ ଜନସଂଖ୍ୟା ଗଣନା ବେଳେ ଏକାସାଙ୍ଗରେ ଏହି ଗଣନା କରାଯିବ। ଶନିବାର ରାଜ୍ୟ କ୍ୟାବିନେଟ୍‌ରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ପରେ ରାଜ୍ୟ ରାଜନୀତି ଜୋର୍‌ ଧରିଛି। ରାଜ୍ୟ ସରକାର ଏହି ପ୍ରସଙ୍ଗରେ କେନ୍ଦ୍ର ନିକଟରେ ଦାବି ରଖିବାକୁ କହୁଥିବାବେଳେ ଭାଜପା ଏହାକୁ ସମାଲୋଚନା କରିଛି। ବିରୋଧୀ ଭାଜପା ଏବଂ କଂଗ୍ରେସ ପକ୍ଷରୁ ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରାଯାଇଛି। ଭାଜପା ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ରାଜ୍ୟ ସରକାର ଓବିସି ଏବଂ ଏସ୍‌ଇବିସି ଜାତିଭିତ୍ତିକ ଗଣନାକୁ ସର୍ବାଧିକ ଗୁରୁତ୍ୱ ଦେବା କହିବା ଅତ୍ୟନ୍ତ ହାସ୍ୟାସ୍ପଦ ଘଟଣା । ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ଓବିସି ଏବଂ ଏସ୍‌ଇବିସିମାନଙ୍କୁ ଶିକ୍ଷା କିମ୍ବା ଚାକିରି କ୍ଷେତ୍ରରେ ସଂରକ୍ଷଣ ଲାଗୁ କରିପାରିଲେନାହିଁ। ଓବିସିମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ସେମାନଙ୍କ ସାମ୍ବିଧାନିକ ଅଧିକାର ା କିନ୍ତୁ ସରକାର ଓବିସିମାନଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ ରଖିଛନ୍ତି । କେନ୍ଦ୍ର ସରକାର ଶିକ୍ଷା ଏବଂ ସରକାରୀ ନିଯୁକ୍ତି କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରଖିଛନ୍ତି ା ସବୁ ରାଜ୍ୟ ଏହି ନିୟମ ପାଳନ କରୁଥିବାବେଳେ ରାଜ୍ୟ ସରକାର ଏହାକୁ ଏ ପର୍ଯ୍ୟନ୍ତ ଲାଗୁ କରିପାରିଲେ ନାହିଁ ବୋଲି ଲେଖାଶ୍ରୀ କହିଛନ୍ତି। ସେହିପରି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଏହା କିଛି ଐତିହାସିକ ନିଷ୍ପତ୍ତି ନୁହେଁ। ଭୋଟ ଭଳି ଏହା କେବଳ ଗୋଟିଏ ଭାବନା, ଚିନ୍ତା ଓ କାର୍ଯ୍ୟକ୍ରମ ସଦୃଶ। ଆଜି ପର୍ଯ୍ୟନ୍ତ ଏମାନେ କେଉଁଠି ଥିଲେ। ଗୋଟିଏ ନୂଆ ବାହାନା ଆରମ୍ଭ କରିଛନ୍ତି। ୨୦୧୧ରେ ଏସ୍‌ଇବିସି ଏବଂ ଏସ୍‌ସି/ଏସ୍‌ଟିଙ୍କ ଗଣନା ତାଲିକା କୁଆଡେ ଗଲା ବୋଲି ସୁର ପ୍ରଶ୍ନ କରିଛନ୍ତି।