Categories: ଖେଳ

ଜାତିଆଣ ମନ୍ତବ୍ୟ ନେଇ କ୍ଷମା ମାଗିଲେ ଯୁବରାଜ

ନୂଆଦିଲ୍ଲୀ,୫।୬(ପି.ଟି.): ଏକ ଇନ୍‌ଷ୍ଟାଗ୍ରାମ୍‌ ଚାଟ ଅବସରରେ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ଦେଇ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ କ୍ଷମା ମାଗିଛନ୍ତି। ଅଜାଣତରେ ଏଭଳି ମନ୍ତବ୍ୟ ଦେଇ ଜନତାଙ୍କ ମନରେ ଆଘାତ ଦେଇଥିଲି ବୋଲି ସେ କହିଛନ୍ତି। ତାରକା ଓପନର ରୋହିତ ଶର୍ମାଙ୍କ ସହ ଲାଇଭ୍‌ ସେସନ୍‌ରେ ଭାଗନେବା ବେଳେ ସେ ଚହଲଙ୍କ ବିଷୟରେ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ। ଏହାପରେ ହରିୟାଣାର ହିସାରର ଜଣେ ଆଇନଜୀବୀ ଯୁବରାଜଙ୍କ ବିରୋଧରେ ମାମଲା ଦାଏର କରିଥିଲେ। ଫଳରେ ଶେଷରେ ତାଙ୍କୁ କ୍ଷମା ମାଗିବାକୁ ପଡ଼ିଛି।
ନିଜ ବନ୍ଧୁମାନଙ୍କ ସହ ଆଲୋଚନ କରୁଥିବା ବେଳେ ଅଜାଣତରେ ଅବାଞ୍ଛିତ କଥା କହିଥିଲି। ତେବେ ଜାଣିଶୁଣି ଏପରି କରି ନ ଥିଲି। ତେବେ ଜଣେ ଦାୟିତ୍ୱସମ୍ପନ୍ନ ନାଗରିକ ହିସାବରେ ଅନ୍ୟମାନଙ୍କୁ ଆଘାତ ପହଞ୍ଚାଇଥିବାରୁ ଅବସୋସ ଜାହିର କରୁଛି ଓ ଏଥିପାଇଁ କ୍ଷମା ମାଗୁଛି ବୋଲି ଯୁବରାଜ ଟୁଇଟ୍‌ କରି କ୍ଷମା ମାଗିଛନ୍ତି। ଯୁବରାଜ ୨୦୧୧ ଦିନିକିଆ ବିଶ୍ୱକପ୍‌ ଓ ୨୦୦୭ ଟି୨୦ ବିଶ୍ୱକପ୍‌ରେ ଭାରତକୁ ଚାମ୍ପିୟନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେ ଭାରତ ପାଇଁ ୩୦୪ଟି ଦିନିକିଆ, ୫୮ଟି ଟି୨୦ ଓ ୪୦ଟି ଟେଷ୍ଟ ଖେଳିଛନ୍ତି।
ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ କାହାକୁ ଆଘାତ ଦେବାର ଉଦ୍ଦେଶ୍ୟ ମୋର ନ ଥିଲା। ସମାଜମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଛି। ସମସ୍ତଙ୍କୁ ସମ୍ମାନ କରେ। ଭାରତ ଓ ଭାରତବାସୀଙ୍କ ପାଇଁ ମୋର ଭଲପାଇବା ଯଥେଷ୍ଟ ରହିଛି ବୋଲି ଯୁବରାଜ କହିଛନ୍ତି। ଉଲ୍ଲେଖଥାଉ କି, ରିଷ୍ଟ ସ୍ପିନର ଚହଲ ସୀମିତ ଓଭର କ୍ରିକେଟରେ ବେଶ୍‌ ପ୍ରଭାବି ସାବ୍ୟସ୍ତ ହୋଇଛନ୍ତି। ସେ ଟିକ୍‌ଟକ୍‌ରେ ଭିଡିଓ ଅପଲୋଡ କରି ବେଶ୍‌ ଚର୍ଚ୍ଚିତ ମଧ୍ୟ ହୋଇଛନ୍ତି।

Share