ଜାଣନ୍ତୁ ୪ ଦିନରେ ଓଡ଼ିଶାରୁ ପଠାଗଲା କେତେ ଅକ୍ସିଜେନ

କଟକ ଅଫିସ,୨୬।୪: କୋଭିଡ୍‌ କାୟାରେ ସାରା ଭାରତବର୍ଷ। ଏ ନେଇ ବର୍ତ୍ତମାନ ସମୟରେ ଅମ୍ଳଜାର ଘୋର ଅଭାବ ଦେଖାଦେଇଛି। ଏଭଳି ପରିସ୍ଥିତିରେ ସହଯୋଗର ହାତ ବଢ଼ାଇ ଓଡ଼ିଶା ସରକାର ମହାନତା ଦେଖାଇଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକୁ ଟ୍ୟାଙ୍କର ଟ୍ୟାଙ୍କର ଅକ୍ସିଜେନ ପଠାଉଛି ଓଡ଼ିଶା। ତେବେ ଯୋଗାଣ ଦାୟିତ୍ୱରେ ଥିବା ଅଧିକାରୀ ଅତିରିକ୍ତ ଡିଜି ୱାଇ. କେ ଜେଠୱାଙ୍କ କହିବାନୁଯାୟୀ, ୪ଦିନରେ ସର୍ବମୋଟ ୬୭ଟି ଟ୍ୟାଙ୍କରରେ ୧୨୬୭.୯୩୧ ମେଟ୍ରିକ ଟନ ଅକ୍ସିଜେନ ପଡ଼ୋଶୀ ରାଜ୍ୟଗୁଡିକୁ ଯୋଗାଇ ଦିଆଯାଇଛି। ଆନ୍ଧ୍ରପ୍ରଦେଶକୁ ୨୨ଟି ଟ୍ୟାଙ୍କରରେ ୪୫୮.୦୩ ମେଟ୍ରିକ ଟନ୍‌, ତେଲେଙ୍ଗାନାକୁ ୧୭ଟି ଟ୍ୟାଙ୍କରରେ ୨୯୧.୭୬୯ ମେଟ୍ରିକ ଟନ୍‌, ମହାରାଷ୍ଟ୍ର କୁ ୬ଟି ଟ୍ୟାଙ୍କରରେ ୧୦୨.୦୬ ମେଟ୍ରିକ ଟନ୍‌, ମଧ୍ୟପ୍ରଦେଶକୁ ୮ଟି ଟ୍ୟାଙ୍କରରେ ୧୩୧.୨୩ ମେଟ୍ରିକ ଟନ, ହରିୟାଣାକୁ ୮ଟି ଟ୍ୟାଙ୍କରରେ ୧୮୭ .୫୧୨ ମେଟ୍ରିକ ଟନ୍‌, ଉତ୍ତରପ୍ରଦେଶକୁ ୪ଟି ଟ୍ୟାଙ୍କରରେ ୬୬.୩୯ ମେଟ୍ରିକ ଟନ୍‌, ଛତିଶଗଡ଼କୁ ୨ଟି ଟ୍ୟାଙ୍କରରେ ୩୦.୬୭
ମେଟ୍ରିକ ଟନ ଅକ୍ସିଜେନ ଯୋଗାଇ ଦିଆଯାଇଛି। ଏହା ସହ ଟ୍ୟାଙ୍କର ଗୁଡିକ ପହଞ୍ଚିବା ପର୍ଯ୍ୟନ୍ତ ସୁପରିଚାଳନା ମଧ୍ୟ କରାଯାଇଥିଲା।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏଡିଜି ଜେଠୱାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅକ୍ସିଜେନ ଯୋଗାଣ ପାଇଁ ଏକ ସେଲ ଗଠନ କରଯାଇଛି। ଜିଲାର ଏସ୍‌ପି, ରେଞ୍ଜ ଡିଆଇଜି, ଆଇଜି, ପୋଲିସ କମିଶନର ଏହାର ତତ୍ତ୍ବାବଧାନ କରୁଛନ୍ତି।