ଜଷ୍ଟିସ୍‌ ସଞ୍ଜୁ ପଣ୍ଡା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି

କଟକ ଅଫିସ, ୫।୧: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌. ଝାବେରି ଶନିବାର ଅବସର ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍‌ ସଞ୍ଜୁ ପଣ୍ଡାଙ୍କୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି। ଜଷ୍ଟିସ ପଣ୍ଡାଙ୍କ ନିଯୁକ୍ତି ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରକାଶ ପାଇଛି। ରବିବାର ସେ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ୨୦୦୭ ମାର୍ଚ୍ଚ ୧ରୁ ହାଇକୋର୍ଟର ଜଣେ ବିଚାରପତି ଭାବେ କାର୍ଯ୍ୟ କରିବା ପୂର୍ବରୁ ଜଷ୍ଟିସ ପଣ୍ଡା ହାଇକୋର୍ଟରେ ପ୍ରାକ୍ଟିସ କରିବା ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ଷ୍ଟାଣ୍ଡିଂ କାଉନ୍‌ସେଲ ଭାବେ କାର୍ଯ୍ୟ କରିଥିଲେ। ସୂଚନାଥାଉ କି, ଜଷ୍ଟିସ ପଣ୍ଡା ୧୯୫୯ ମସିହା ଜୁଲାଇ ୧୦ ତାରିଖରେ ଗଜପତି ଜିଲାର ପାରଳାଖେମୁଣ୍ଡିଠାରେ ଜନ୍ମଗ୍ରହଣ କରିଥିଲେ।