ଜଳେଶ୍ୱର ତହସିଲ: ଆଜିଠୁ ସୌରାତରୁ ବାଲି ପରିବହନ ବନ୍ଦ

ଜଳେଶ୍ୱର, ୨।୧୨(ଡି.ଏନ.ଏ./ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅଧୀନ ସମସ୍ତ ସୌରାତରୁ ବାଲି ପରିବହନ ୩ତାରିଖଠାରୁ ବନ୍ଦ ରହିବ ବୋଲି ସୌରାତ ମାଲିକ ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ସୋମବାର ଏକ ହୋଟେଲ ସଭାଗୃହରେ ଖବରଦାତା ସମ୍ମିଳନୀ ଆୟୋଜନ କରାଯାଇ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ଉତ୍ତର ବାଲେଶ୍ୱର ଅଞ୍ଚଳରେ ଥିବା ବାଲି ସୌରାତ୍‌ଗୁଡ଼ିକ ନିଲାମ ନେଇଥିବା ମାଲିକ, ତାଙ୍କର ଅଂଶଧାରୀ ସହକର୍ମୀ ଓ ଉତ୍ତର ବାଲେଶ୍ୱର ଡମ୍ପର, ଟ୍ରାକ୍ଟର ମାଲିକମାନଙ୍କୁ ନେଇ ଉତ୍ତର ବାଲେଶ୍ୱର ବାଲି ସୌରାତ ମାଲିକ ସଂଘ ନାମରେ ଏକ ସଂଘ ଗଠନ କରାଯାଇଛି। ବାଲି ସୌରାତ ପରିଚାଳନା ତଥା ସରକାରଙ୍କର ନୀତି ନିୟମାବଳୀ ବିଷୟରେ ସଂଘ ପକ୍ଷରୁ ପୂର୍ବରୁ ଆଲୋଚନା କରାଯାଇଥିଲା। ନିଷ୍ପତ୍ତି ଅନୁଯାୟୀ ୭ଦଫା ଦାବି ନେଇ ବାଲି ଉଠାଣ ବନ୍ଦ କରାଯାଇଛି। ପ୍ରଶାସନ ଟ୍ରାନଜିଟ୍‌ ପାସ୍‌ ଠିକ୍‌ ସମୟରେ ଯୋଗାଇ ନ ଦେବା, ଟ୍ରାନଜିଟ୍‌ ପାସ୍‌ ଥାଇ ମଧ୍ୟ ଖାଦାନ ମାଲିକ ଓ ଗାଡ଼ି ମାଲିକମାନଙ୍କ ଉପରେ ମିଥ୍ୟା ମାମଲା ରୁଜୁ କରିବା, ପ୍ରତ୍ୟେକ ସୌରାତ ଅଞ୍ଚଳରେ ଚାନ୍ଦା ଆଦାୟକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା, ପ୍ରଶାସନ ତରଫରୁ ମାତ୍ରାଧିକ ଜରିମାନା ଆଦାୟ କରାଯିବା, ଚୋରା ବାଲି ଉଠାଉଥିବା ଲୋକଙ୍କ ଉପରେ ପ୍ରଶାସନ କୌଣସି ପଦକ୍ଷେପ ନ ନେବା ଆଦି ଅଭିଯୋଗ କରି ଏହି ନିଷ୍ପତ୍ତି ନିଆଯାଇଥିବା ସଂଘ ପକ୍ଷରୁ କୁହାଯାଇଛି। ଖବରଦାତା ସମ୍ମିଳନୀରେ ଦୁର୍ଜ୍ଜୟ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ। ସୁଜୟ କରଣ, ମଧୁସୂଦନ ଦାସ, ରବୀନ୍ଦ୍ର ନାଥ ଗିରି, ସୌମ୍ୟଜିତ୍‌ ଚକ୍ରବର୍ତ୍ତୀ, ସୁରଜିତ ଘୋଷ, ପ୍ରବୀର ଦାସ ଓ ସମସ୍ତ ବାଲି ଖାଦାନର ମାଲିକମାନେ ଉପସ୍ଥିତ ଥିଲେ। ନବଗଠିତ ବାଲି ସୌରାତ ମାଲିକ ସଂଘର ସଭାପତି ଭାବେ ସୁଜୟ କରଣ, ସମ୍ପାଦକ ରାଜେଶ ଖାଟୁଆ, କୋଷାଧ୍ୟକ୍ଷ ରବୀନ୍ଦ୍ର ନାଥ ଗିରି ମନୋନୀତ ହୋଇଥିବା ବେଳେ ସଂଘରେ ୧ ଶହରୁ ଊର୍ଦ୍ଧ୍ୱ ସଦସ୍ୟ ରହିଛନ୍ତି।