ଜଳେଶ୍ୱରରୁ ୨୦ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ଜଳେଶ୍ୱର,୧୮।୨(ସ୍ବ.ପ୍ର)- ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପାନ୍ତରେ ଅବସ୍ଥିତ ଜଳେଶ୍ୱରକୁ ଦେଶର ବିଭିନ୍ନ ସ୍ଥାନରୁ ବ୍ରାଉନ୍‌ସୁଗାର ଅଣାଯାଇ ମହଜୁଦ କରିବା ପରେ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲଣ କରାଯାଇ ଆସୁଛି। ଏପରି ଘଟଣାର ସୁରାକ ପାଇ ଜଳେଶ୍ୱର ପୋଲିସ୍‌ ଏଠାରୁ ପୁରୀ ଯାଉଥିବା ଏକ କାର୍‌କୁ ଜବତ୍‌ କରିବା ସହିତ ୩ ଅଭିଯୁକ୍ତ, ନଗଦ ଟଙ୍କା ଓ ବ୍ରାଉନ୍‌ସୁଗାର ଜବତ କରିବାରେ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଶ୍ରୀଧର ନାୟକ (୩୦), ଲିଟୁ ଦୋରା (୨୯) ଓ ଦେବାଶିଷ ଓରଫ ଅଜୁ ମହାନ୍ତି (୩୦)ଙ୍କୁ ପୋଲିସ୍‌ ଗିରଫ କରି ଥାନାକୁ ନେଇଛି।

ଜଳେଶ୍ୱରର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ବାରମ୍ବାର ବ୍ରାଉନ୍‌ସୁଗାର ବିଭିନ୍ନ ଅଞ୍ଚଳକୁ ଯାଉଥିବା ଓ ସେମାନଙ୍କୁ ଆର୍ଥିକ ସହାୟତା କରି ଆସୁଥିବା କେତେକ ବିଶେଷ ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସ୍‌ ନିକଟରେ ଖବର ରହିଛି। ମଙ୍ଗଳବାର ଏ ସମ୍ପର୍କରେ ସୂଚନା ପାଇ ଜଳେଶ୍ୱର ଏସ୍‌ଡ଼ିପିଓ ଅଙ୍କିତା କୁମ୍ଭାରଙ୍କ ନେତୃତ୍ୱରେ ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁ ବିଭିନ୍ନ ସ୍ଥାନରେ ତୀକ୍ଷ୍ଣ ଦୃଷ୍ଟି ରଖିଥିଲେ। ଜଳେଶ୍ୱରରୁ ଏକ ଇଣ୍ଡିଗୋ କାର୍‌ (ନଂ. ଓଆର୍‌୦୨ବିଟି-୯୧୬୧) ବାହାରି ପୁରୀ ଅଭିମୁଖେ ଗଲାବେଳେ ସେକ୍‌ସରାଇ ରେଳ ଓଭରବ୍ରିଜ୍‌ ଠାରେ ପୋଲିସ୍‌ର ଏକ ଟିମ୍‌ ଚଢ଼ାଉ କରିଥିଲେ। ଏହି ଚଢ଼ାଉରେ ପୁରୀ ଜିଲା ଅନ୍ତର୍ଗତ କୁମ୍ଭାରପଡ଼ା ଥାନା ନରେନ୍ଦ୍ରକାନା ଗାଁର ୩ଜଣଙ୍କୁ ପୋଲିସ ଗିରଫ କରିଛି। କିନ୍ତୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ସେକ୍‌ ସଫିରୁଦ୍ଦିନ (୩୬) ଘଟଣାସ୍ଥଳରୁ ଫେରାର୍‌ ହୋଇ ଯାଇଛି। ଅଭିଯୁକ୍ତଙ୍କ ନିକଟରୁ ନଗଦ ୩ଲକ୍ଷ ୧୪ହଜାର ଟଙ୍କା ଓ ୧୦୦ ଗ୍ରାମ ବ୍ରାଉନ୍‌ସୁଗାରକୁ ପୋଲିସ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ। ଏହି ଚଢ଼ାଉରେ ଏସ୍‌ଆଇ ଦିଲ୍ଲୀପ ସାମଲଙ୍କ ସହିତ ଜଳେଶ୍ୱର ଥାନାର ବହୁ କର୍ମଚାରୀ ସାମିଲ ଥିଲେ।