ଜଳଯୋଗାଣ ପ୍ରକଳ୍ପ ନିର୍ମାଣସ୍ଥଳକୁ ନେଇ ଉତ୍ତେଜନା

ରାଇରଙ୍ଗପୁର,୨ା୨(ଡି.ଏନ୍‌.ଏ.): ରାଇରଙ୍ଗପୁର କଲେଜ ଛାତ୍ରୀନିବାସ ପଛପଟ ପାଚେରୀ ଏବଂ ଖେଳପଡ଼ିଆ ପାର୍ଶ୍ୱରେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣସ୍ଥଳକୁ ନେଇ ବିବାଦ ଦେଖାଦେଇଛି। ରାଇରଙ୍ଗପୁର ବ୍ଲକ ଅଧୀନ ଭାଲୁବସା ପଞ୍ଚାୟତବାସୀ ଏହି ପ୍ରକଳ୍ପ ନିର୍ମାଣ ସପକ୍ଷରେ ଥିବା ବେଳେ ସ୍ଥାନୀୟ ପୁରୁଣାଘାଟୀ ବସ୍ତି ଅଞ୍ଚଳବାସୀ ଏହାକୁ ବିରୋଧ କରିଛନ୍ତି। ଶନିବାର ଭାଲୁବସା ପଞ୍ଚାୟତବାସୀ ଏହି ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଦାବିରେ ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ସୂଚନାନୁଯାୟୀ,ରାଇରଙ୍ଗପୁର ବ୍ଲକ ଭାଲୁବସା ପଞ୍ଚାୟତର ୬ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ନିମନ୍ତେ ୧୯୩ କୋଟି ଟଙ୍କା ବିନିମୟରେ ଉକ୍ତ ମେଗା ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ କରାଯାଉଥିଲା। ମାତ୍ର ପୁରୁଣାଘାଟୀ ବସ୍ତି ଅଞ୍ଚଳବାସୀ ଉକ୍ତ କାର୍ଯ୍ୟକୁ ବିରୋଧ କରିଥିଲେ। ଭାଲୁବସା ପଞ୍ଚାୟତବାସୀ ତୁରନ୍ତ ମେଗା ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ସକାଶେ ଯିିଦରେ ଅଟଳ ରହିବା ସହ ଶତାଧିକ ମହିଳାପୁରୁଷ ଭାଲୁବସା ସରପଞ୍ଚ ବିଜୟ ମାରାଣ୍ଡି, ପୂର୍ବତନ ଜିଲା ପରିଷଦ ସଭ୍ୟ ଆଲୋକ ମହାନ୍ତ ଏବଂ ଜିତେନ୍ଦ୍ର ନାଥ ହେମ୍ବ୍ରମ ପ୍ରମୁଖଙ୍କ ନେତୃତ୍ୱରେ ସ୍ଥାନୀୟ ଉପଜିଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ। ଏନେଇ ଗ୍ରାମବାସୀ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହାସହ ଗ୍ରାମବାସୀ ସ୍ଥାନୀୟ ତହସିଲଦାର ଜଗରଞ୍ଜନ ନାୟକଙ୍କୁ ଭେଟି ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ଲାଗି ତୁରନ୍ତ ସ୍ଥାନ ନିରୂପଣ କରିବା ଲାଗି ଦାବି କରିଥିଲେ। ଆଲୋଚନା ବେଳେ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରୁଥିବା ଏଲ୍‌ଆଣ୍ଡଟି କମ୍ପାନୀର ଜଣେ ଇଞ୍ଜିନିୟର ଏବଂ କର୍ମଚାରୀଙ୍କ ସମେତ ଟାଉନ ଥାନା ଅଧିକାରୀ ଇନ୍ସପେକ୍ଟର ରେଣୁବାଳା ସାହୁ ଉପସ୍ଥିତ ଥିଲେ। ଉକ୍ତ ଗ୍ରାମ୍ୟ ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ବାବଦ ଏବଂ ଉତ୍ତେଜନାକୁ ନେଇ ନିର୍ମାଣସ୍ଥଳରେ ପୋଲିସ ପ୍ରଶାସନ ପକ୍ଷରୁ ଫୋର୍ସ ମୁତୟନ କରାଯାଇଛି।