ଜଳବାୟୁ ପରିବର୍ତ୍ତନ: ୮୦ ବର୍ଷ ମଧ୍ୟରେ ୬.୬ ଇଞ୍ଚ ବଢ଼ିବ ସମୁଦ୍ର ଜଳସ୍ତର; ୪୦ କୋଟି ଲୋକଙ୍କ ଉପରେ ବିପଦ !

ଓ୍ବାଶିଂଟନ,୧୪।୩: ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ଆଣ୍ଟାର୍କଟିକା ହିମପାହାଡ଼ ଜଳବାୟୁ ପରିବର୍ତ୍ତନ ଯୋଗୁ ତରଳିବାରେ ଲାଗିଛି। ୧୯୯୨ଠାରୁ ୨୦୧୭ ମଧ୍ୟରେ ଏଠାରେ ଥିବା ୬.୪ ହଜାର କୋଟି ଟନ୍‌ ବରଫ ତରଳିଛି। ଏହାଦ୍ୱାରା ସୁଦ୍ର ଜଳସ୍ତର ୦.୭ ଇଞ୍ଚ ବୃଦ୍ଧି ପାଇଛି। ତେବେ ୮୦ ବର୍ଷ ପରେ ୨୧୦୦ସୁଦ୍ଧା ୬ଗୁଣା ଅଧିକ ବେଗରେ ଏଠାରେ ଥିବା ହିମପାହାଡ଼ ତରଳିବାର ଆଶଙ୍କା ରହିଛି। ଏହାଦ୍ୱାରା ସମୁଦ୍ର ଜଳସ୍ତର ୬.୬ ଇଞ୍ଚ ବଢ଼ିବ। ପୃଥିବୀର ୫୦ଟି ଦେଶର ବୈଜ୍ଞାନିକ ୧୧ଟି ଉପଗ୍ରହ ସହାୟତାରେ ଅନୁଧ୍ୟାନ କରି ଏନେଇ ସତର୍କ ସୂଚନା ଜାରି କରିଛନ୍ତି। ସମୁଦ୍ରଜଳସ୍ତର ବଢ଼ିଲେ ଉପକୂଳବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ୪୦ କୋଟିରୁ ଅଧିକ ଲୋକ ବିପଦରେ ପଡ଼ିବେ। ସେମାନେ ବାସସ୍ଥାନ ହରାଇ ବସିବେ। ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱତାପନ ବଢୁଥିବାରୁ ଗ୍ରୀନ୍‌ଲାଣ୍ଡରେ ୬୦ ପ୍ରତିଶତ ଏବଂ ଆଣ୍ଟାର୍କଟିକାରେ ୪୦ ପ୍ରତିଶତ ହିମପାହାଡ଼ ତରଳୁଛି। ଏହି ଧାରା ଜାରି ରହିଲେ ୨୩୦୦ ବେଳକୁ ସମୁଦ୍ର ଜଳସ୍ତର ୪ ଫୁଟ ବଢ଼ିବାର ଆଶଙ୍କା ରହିଛି ବୋଲି ବୈଜ୍ଞାନିକ କହିଛନ୍ତି। ଏହାଦ୍ୱାରା ବହୁ ପ୍ରଜାତିର ଉଦ୍ଭିଦ ଓ ପ୍ରାଣୀ ପୃଥିବୀ ପୃଷ୍ଠରୁ ଲୋପ ପାଇଯିବାର ଆଶଙ୍କା ରହିଛି।

Share