Categories: ଫୁରସତ

ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମୁଦ୍ରରେ କମୁଛି ଅମ୍ଳଜାନ

ମାଡ୍ରିଡ୍‌: ଜଳବାୟୁ ପରିବର୍ତ୍ତନର ସବୁଠାରୁ ଭୟଙ୍କର ପ୍ରଭାବ ପଡ଼ିଛି ସାମୁଦ୍ରିକ ଜୀବନ ଉପରେ। ପ୍ଲାଷ୍ଟିକ ବର୍ଜ୍ୟକୁ ନେଇ ନିଜ ଭିତରେ ନୀରବ ଯୁଦ୍ଧ କରୁଥିବା ସମୁଦ୍ର ଏବେ ଅନୁଭବ କରୁଛି ଅମ୍ଳଜାନର ଅଭାବ। ଏହି କାରଣରୁ ସାମୁଦ୍ରିକ ଜୀବ, ଧୀବରଙ୍କ ସମେତ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଉପରେ ସଙ୍କଟ ବଢ଼ିବାରେ ଲାଗିଛି। ଏହାକୁ ନେଇ ଚେତାବନୀ ଜାରି କରିଛି ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ (ଆଇୟୁସିଏନ୍‌)। ସାରା ପୃଥିବୀର ଏପରି ୭୦୦ ସ୍ଥାନ ଚିହ୍ନଟ କରାଯାଇଛି, ଯେଉଁଠାରେ ଅମ୍ଳଜାନର ମାତ୍ରା ହ୍ରାସ ପାଇଛି। ୧୯୬୦ ସର୍ଭେରେ ଏହି ସ୍ଥାନ ସଂଖ୍ୟା ଥିଲା ୪୫। ଚଳିତ ସର୍ଭେରେ ଏହା ୪ଗୁଣା ବଢ଼ିଛି। କେବଳ ଏତିକି ନୁହେଁ, ଚିହ୍ନଟ କରାଯାଇଥିବା ସ୍ଥାନଗୁଡ଼ିକ ମଧ୍ୟରେ ଏପରି କେତେକ ଜାଗା ରହିଛି ଯେଉଁଠି; ଅମ୍ଳଜାନର ମାତ୍ରା ଅତି ସ୍ବଳ୍ପ। ସାମୁଦ୍ରିକ ଜୀବମାନେ ତାପମାତ୍ରା ବୃଦ୍ଧି, ଅତ୍ୟଧିକ ମାଛ ମାରିବା, ପ୍ଲାଷ୍ଟିକ ପ୍ରଦୂଷଣ ଭଳି ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଯାହା ପରିବେଶ ପାଇଁ ଅଶୁଭ ସଙ୍କେତ।
ଆଇୟୁସିଏନ୍‌ର କହିବା କଥା, ଜୀବାଶ୍ମ ଇନ୍ଧନରୁ ନିଗର୍ମନ କାର୍ବନର ଏକ ଚତୁର୍ଥାଂଶ ଟାଣି ନେଇଥାଏ। ହେଲେ ତାପମାତ୍ରା ବଢ଼ିବା ଏବଂ ଅମ୍ଳଜାନ ମାତ୍ରା କମିବା ଯୋଗୁ ଏବେ ଏହି ଚକ୍ର ପ୍ରଭାବିତ ହୋଇଛି। ବିଶ୍ୱସ୍ତରରେ ବିଭିନ୍ନ ସମୁଦ୍ରରେ ହାରାହାରି ୨% ଯାଏ ଅମ୍ଳଯାନ କମିଛି। ଏପରି ଧାରା ଜାରି ରହିଲେ ୨୧୦୦ ସୁଦ୍ଧା ସମୁଦ୍ରର ଅକ୍ସିଜେନ ମାତ୍ରା ୩ରୁ ୪% ଯାଏ କମିଯିବା ଆଶଙ୍କା ଦେଖାଦେଇଛି।
ସଂଘର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗ୍ରେଥଲ୍‌ ଏଗୁଇଲର କୁହନ୍ତି, ସମୁଦ୍ର ପୃଷ୍ଠରୁ ୧୦୦୦ ମିଟର (ହାରାହାରି ୧ କିମି) ଗଭୀରତା ଅଞ୍ଚଳ ଅତି ସମ୍ବେଦନଶୀଳ। ଏଠାରେ ହିଁ ଜଳଚର ଜୀବଙ୍କ ଜୀବନଚକ୍ର ସଞ୍ଚାଳିତ ହୋଇଥାଏ। ଏବେକାର ପରୀକ୍ଷଣରୁ ସମୁଦ୍ରରେ ଅମ୍ଳଜାନର ମାତ୍ରା ହ୍ରାସ ପାଉଥିବା ଜଣାପଡ଼ିଛି। ଏହାଦ୍ୱାରା ଅଧିକ ଅମ୍ଳଜାନ ଆବଶ୍ୟକ କରୁଥିବା ସାମୁଦ୍ରିକ ଜଳଚରଜୀବଙ୍କ ଜୀବନ ଅସନ୍ତୁଳିତ ହୋଇଯିବ। ଟୁନା, ମର୍ଲିନ, ସାର୍କ ପ୍ରଜାତିର ବଡ଼ ମାଛ ଦୈନନ୍ଦିନ ଅଧିକ ଶକ୍ତି ଆବଶ୍ୟକ କରିଥାନ୍ତି। ତଦନୁଯାୟୀ ସେମାନେ ଅଧିକ ଅମ୍ଳଜାନ ମଧ୍ୟ ଗ୍ରହଣ କରିଥାନ୍ତି। କମୁଥିବା ଅମ୍ଳଜାନର ମାତ୍ରାରେ ସୁଧାର ନ ଆସିଲେ ଏପରି ମତ୍ସ୍ୟପ୍ରଜାତିର ପ୍ରାଣୀ ବିଲୁପ୍ତ ହୋଇଯିବେ ବୋଲି ଏଗୁଇଲର ଆଶଙ୍କା ବ୍ୟକ୍ତ କରିଛନ୍ତି।

Share