Categories: ଖେଳ

ଜରିନ୍‌ଙ୍କୁ ହରାଇଲେ ମେରୀକମ୍‌: ମ୍ୟାଚ୍‌ ପରେ ଫୁଲ ଡ୍ରାମା

ନୂଆଦିଲ୍ଲୀ, ୨୮।୧୨- ଛ’ ଥର ବିଶ୍ୱ ଚାମ୍ପିୟନ ଏମ୍‌.ସି. ମେରୀକମ୍‌ (୫୧ କିଲୋ କାଟେଗୋରି) ଟ୍ରାଏଲରେ ନିଖତ ଜରିନଙ୍କୁ ହରାଇ ଦେଇଛନ୍ତି। ବିଜୟ ସହ ଆସନ୍ତା ବର୍ଷ ହେବାକୁ ଥିବା ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବା ସ୍ପଷ୍ଟ ହୋଇଛି। ମେରୀକମ୍‌ଙ୍କ ଆଟାକିଂ ରଣନୀତି ସମ୍ମୁଖରେ ପ୍ରତିପକ୍ଷ ଜରିନ ଅଧିକ କିଛି କରିପାରି ନ ଥିଲେ। କିମ୍ବଦନ୍ତୀ ବକ୍ସର ୯-୧ ବ୍ୟବଧାନରେ ବାଉଟ୍‌କୁ ଜିତି ନେଇଥିଲେ। ଉଲ୍ଲେଖଯୋଗ୍ୟ, ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ଲାଗି ୫୧ କେଜି ବର୍ଗରେ କେଉଁ ଖେଳାଳି ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବ, ତାହା ଟ୍ରାଏଲରୁ ନିର୍ଣ୍ଣୟ କରାଯାଉ ବୋଲି ଜରିନ ଜନସାଧାରଣଙ୍କ ଆଗରେ ଦାବି କରିଥିଲେ। ବାଉଟ୍‌ ପରେ ଜରିନ ହାତ ମିଳେଇବାକୁ ଉଦ୍ୟମ କରିଥିଲେ, ହେଲେ ମେରୀକମ୍‌ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ମୁଁ ବହୁତ ରାଗି ଥିଲି। ଏଥିରେ ସନ୍ଦେହ ନାହିଁ। କିନ୍ତୁ ଏବେ ସବୁ ଶେଷ ହୋଇ ସାରିଛି। ତୁମେ ରିଙ୍ଗ ଭିତରେ କେଉଁ ଭଳି ପ୍ରଦର୍ଶନ କରୁଛ, ତାହା ଗୁରୁତ୍ୱପୂର୍ଣ୍ଣ ବୋଲି ବାଉଟ୍‌ ପରେ ମେରୀକମ୍‌ କହିଛନ୍ତି। ମ୍ୟାଚ୍‌ ଫଳାଫଳକୁ ତେଲେଙ୍ଗାନା ବକ୍ସିଂ ଆସୋସିଏଶନ ପକ୍ଷରୁ ପ୍ରବଳ ବିରୋଧ କରାଯାଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ହସ୍ତକ୍ଷେପ କରିଥିଲେ ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ସଭାପତି ଅଜୟ ସିଂ। ସେ ତେଲେଙ୍ଗାନା ବକ୍ସିଂ ଆସୋସିଏଶନ ପ୍ରତିନିଧି ଏପି ରେଡ୍ଡୀଙ୍କୁ ରିଙ୍ଗ୍‌ ଅଞ୍ଚଳରୁ ଚାଲି ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଭଳି ରାଜନୀତି ହେଲେ ଦେଶରେ ବକ୍ସିଂ ଉଧେଇ ପାରିବ ନାହିଁ ବୋଲି ରେଡ୍ଡୀ କହିଛନ୍ତି। ଅନ୍ୟ ଟ୍ରାଏଲରେ ଦୁଇ ଥର ବିଶ୍ୱ ରୌପ୍ୟ ପଦକଧାରୀ ସୋନିଆ ଲାଥର (୫୭ କେଜି)ଙ୍କୁ ସାକ୍ଷୀ ଚୌଧାରୀ ହରାଇ ଦେଇଛନ୍ତି। ସେହିଭଳି ୬୦ କେଜି ବର୍ଗରେ ପୂର୍ବତନ ବିଶ୍ୱ ଚାମ୍ପିୟନ ଏଲ. ସରିତା ଦେବୀ ଜାତୀୟ ଚାମ୍ପିୟନ ସିମରନଜିତ କୌରଙ୍କଠାରୁ ପରାସ୍ତ ହୋଇଛନ୍ତି।

Share