Categories: ଜାତୀୟ

ଜମ୍ମୁ-କଶ୍ମୀର: କେନ୍ଦ୍ର ଅଧୀନରେ ରହିବ ପୋଲିସ

ନୂଆଦିଲ୍ଲୀ,୧୨ା୮: ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ପୋଲିସ ଓ ଆଇନଶୃଙ୍ଖଳା ଉପରାଜ୍ୟପାଳଙ୍କ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ରହିବ। ଅନ୍ୟପକ୍ଷରେ ଜମିଜମା ଉପରେ ଅଧିକାର ଜମ୍ମୁ-କଶ୍ମୀର ନିର୍ବାଚିତ ସରକାରଙ୍କର ରହିବ ବୋଲି ଜଣେ ଅଧିକାରୀ କହିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ଲାଭ କରିଥିବା ଜମ୍ମୁ-କଶ୍ମୀର ବିଭାଜନ ବିଲ୍‌ ଆଇନ୍‌ରେ ପରିଣତ ହୋଇଛି। ଅକ୍ଟୋବର ୩୧ରୁ ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଆତ୍ମପ୍ରକାଶ କରିବ। ଜମ୍ମୁ-କଶ୍ମୀର ବିଧାନସଭା ଉକ୍ତ ଅଞ୍ଚଳ ପାଇଁ ଆଇନ ପ୍ରଣୟନ କରିପାରିବ। ତେବେ ପୋଲିସ ଓ ପବ୍ଲିକ ଅର୍ଡର ଉପରେ ବିଧାନସଭା କୌଣସି ନିଷ୍ପତ୍ତି ନେଇପାରିବ ନାହିଁ। ଅନ୍ୟପକ୍ଷରେ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ, ଆଇନଶୃଙ୍ଖଳା ସମେତ ଜମିଜମା ମଧ୍ୟ ଉପରାଜ୍ୟପାଳଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ରହିବ। ଜମ୍ମୁ-କଶ୍ମୀର ହାଇକୋର୍ଟ ଉଭୟ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ କାର୍ଯ୍ୟ କରିବ।

Share