Categories: ଜାତୀୟ

ଜମ୍ମୁ-କଶ୍ମୀରରେ ଲାଗୁହେବ ୧୦୬ କେନ୍ଦ୍ରୀୟ ଆଇନ

ନୂଆଦିଲ୍ଲୀ ,୭ା୮(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରରୁ କେନ୍ଦ୍ର ସରକାର ସମ୍ବିଧାନର ଧାରା ୩୭୦, ୩୫ଏ ହଟାଇବା ସହ ଏହାକୁ ଏକ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଛନ୍ତି। ତେଣୁ ଜମ୍ମୁ-କଶ୍ମୀର ଲାଗି ଭାରତ ସମ୍ବିଧାନର ସମସ୍ତ ବ୍ୟବସ୍ଥା ଲାଗୁ କରାଯିବ। ସମ୍ବିଧାନର ପଞ୍ଚମ ଅନୁଚ୍ଛେଦ ଅନୁଯାୟୀ କେନ୍ଦ୍ର ସରକାର କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଲାଗି ୧୦୬ଟି କେନ୍ଦ୍ରୀୟ ଆଇନ ଲାଗୁ କରିବାକୁ ଯାଉଛି। ସମ୍ବଧାନର ପଞ୍ଚମ ଅନୁଚ୍ଛେଦରେ ଆସାମ, ମେଘାଳୟ, ତ୍ରିପୁରା ଓ ମିଜୋରାମକୁ ଛାଡ଼ି ଅନ୍ୟ ଅନୁସୂଚିତ ଅଞ୍ଚଳ ଓ ଅନୁସୂଚିତ ଜନଜାତି ଉପରେ ପ୍ରଶାସନିକ ନିୟନ୍ତ୍ରଣ କଥା ଉଲ୍ଲେଖ ଅଛି। ହିନ୍ଦୁ ବିବାହ ଆଇନ, ହିନ୍ଦୁ ଉତ୍ତରାଧିକାରୀ ଆଇନ, ସମ୍ପତିଗତ ଅଧିକାର ଆଦି ସମ୍ପର୍କରେ ଆଇନ ମଧ୍ୟ ରହିଛି। ବରିଷ୍ଠ ଓକିଲ ତଥା ସମ୍ବିଧାନ ବିଶାରଦ ରାକେଶ ଦ୍ୱିବେଦୀ କହିଛନ୍ତି, ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ଏହା ଉପରେ କେନ୍ଦ୍ର ସରକାର ଆଇନ ପ୍ରଣୟନ କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି।
ଜମ୍ମୁ-କଶ୍ମୀରର ସୁରକ୍ଷା ଲାଗି ସମ୍ବିଧାନର ଧାରା ୩୫ଏ ଏକ ବଳିଷ୍ଠ ଭୂମିକା ଗ୍ରହଣ କରୁଥିଲା। ଜମି ମାଲିକାନାସ୍ବତ୍ତ୍ୱ, ସ୍କଲାରଶିପ୍‌, କର୍ମସଂସ୍ଥାନ ଆଦି ରାଜ୍ୟ ବ୍ୟାପାରଭୁକ୍ତ ଥିଲା। ଏବେ ୩୭୦ ଓ ୩୫ଏ ଧାରା ହଟିଯିବା ପରେ ଜମ୍ମୁ-କଶ୍ମୀର ଭାରତର ସମ୍ପୂର୍ଣ୍ଣ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି। ସମ୍ବିଧାନର ଧାରା ୩ ଅନୁଯାୟୀ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ନୂଆ ଭୂଖଣ୍ଡର ସୀମାରେଖା ନିର୍ଦ୍ଧାରଣ କରାଯିବ। ବିଭିନ୍ନ ବିଚାରବିମର୍ଶ ପରେ ପାର୍ଲାମେଣ୍ଟରେ ଏନେଇ ଆଇନ ଅଣାଯିିବା ସହ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବ। ଆର୍ଥିକ ଅନଗ୍ରସରଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ହେଲେ କେନ୍ଦ୍ର ସଂଶୋଧନ ପ୍ରସ୍ତାବ ଆଣିବ। ଜମ୍ମୁ-କଶ୍ମୀରରେ ପ୍ରଚଳିତ ପ୍ର୍ରଥା, ପରମ୍ପରା ଲାଗି କେନ୍ଦ୍ର ସରକାର ମଧ୍ୟ ନୂଆ ଆଇନ ପ୍ରସ୍ତୁତ କରିପାରିବେ। ଏଭଳି ଅନେକ ଆଇନ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ପାଇଁ ଲାଗୁ କରିପାରନ୍ତି ବୋଲି ସମ୍ବିଧାନ ବିଶାରଦ ତଥା ବରିଷ୍ଠ ଓକିଲ ନରେନ୍ଦ୍ର ହୁଡ଼ା ପ୍ରକାଶ କରିଛନ୍ତି।

Share