ଜମି ପାଇଁ ଦାଦା-ଖୁଡ଼ୀଙ୍କୁ ହତ୍ୟା, କୁଅରେ ଫିଙ୍ଗିଲେ: ପୁତୁରା ଅଟକ

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି,୬ା୬(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ବିରିପାଲି ପଞ୍ଚାୟତ କୁଟୁରାବେଡା ଗାଁରେ ପାରିବାରିକ ଜମି ବିବାଦକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି । ଜମିଲାଗି ନିଜର ଦାଦା ଓ ଖୁଡ଼ୀଙ୍କୁ ପୁତୁରା ହତ୍ୟା କରି ଉଭୟଙ୍କ ମୃତଦେହକୁ କୂଅ ଭିତରକୁ ଫୋପାଡି ଦେଇଛି। ଶନିବାର ସକାଳେ ଏହି ଘଟଣା ଜଣାପଡ଼ିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
କୁଟୁରାବେଡା ଗ୍ରାମର ତ୍ରିଲୋଚନ ନାଗ (୫୪) ଓ ତାଙ୍କ ପୁତୁରା କୁଶ ନାଗ (୨୫)ଙ୍କ ମଧ୍ୟରେ ଦୀର୍ଘଦିନରୁ ଜମିବାଡି ବିବାଦ ଲାଗି ରହିଥିଲା । ଶୁକ୍ରବାର ରାତିରେ ଏହି ଜମିବାଡି ବିବାଦ ଉଗ୍ରରୂପ ନେଇଥିଲା। ଏହାକୁ ନେଇ ପୁତୁରା କୁଶ ନାଗ ମାରଣାସ୍ତ୍ରରେ ଦାଦା ତ୍ରିଲୋଚନ ଓ ଖୁଡ଼ୀ ସୀମାଙ୍କୁ ଆକ୍ରମଣ କରି ନିର୍ମମ ହତ୍ୟା କରିଥିଲା । ପରେ ଉଭୟଙ୍କ ମୃତଦେହକୁ ନିଜ ଜମିରେ ଥିବା କୂଅରେ ପିଙ୍ଗି ଦେଇଥିଲା । ଶନିବାର ସକାଳୁ ଏହି ଘଟଣା ଜଣାପଡିଥିଲା। ଘଟଣା ସମ୍ପର୍କରେ ଖବରପାଇବା ପରେ କଣ୍ଟାବାଞ୍ଜି ଏସ୍‌ଡିପିଓ ସରୋଜ ମହାପାତ୍ର ଓ ବଙ୍ଗୋମୁଣ୍ଡା ଥାନା ଆଇଆଇସି ପଞ୍ଚାନନ ନାଏକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅଗ୍ନିଶମ କର୍ମଚାରୀମାନେ କୂଅରୁ ଉଭୟ ସ୍ତ୍ରୀସ୍ବାମୀଙ୍କ ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି । ଏବେ ତଦନ୍ତ ଜାରି ରହିଥିବାରୁ ପୋଲିସ ପକ୍ଷରୁ ବିଶେଷ ସୂଚନା ମିଳିପାରିନାହିଁ । ପୋଲିସ ଅଭିଯୁକ୍ତ ପୁତୁରା କୁଶ ନାଗକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।