ଜମି ଦେବାକୁ କହି ୫୫ଲକ୍ଷ ଠକେଇ: ବିଲ୍‌ଡର୍‌ ଗିରଫ

ଭୁବନେଶ୍ୱର,୩ା୨(ବ୍ୟୁରୋ): ଜମି ଦେବାକୁ କହି ୫୫ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଶହୀଦନଗର ଥାନା ପୋଲିସ ଜଣେ ବିଲ୍ଡରଙ୍କୁ ଗିରଫ କରିଛି। ଗିରଫ ବିଲ୍ଡର ଜଣଙ୍କ ହେଲେ ଲକ୍ଷ୍ମୀସାଗର ଥାନା ବମିଖାଲ ଅଞ୍ଚଳରେ ରହୁଥିବା ସୁକାନ୍ତ କୁମାର ପ୍ରଧାନ। ରବିବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସୁକାନ୍ତ ବମିଖାଲରେ ପରିବାର ସହ ରହୁଛନ୍ତି। ସେ ୨୦୧୮ରୁ ଜମି କାରବାର ଚଳାଇ ଆସୁଛନ୍ତି। ଶହୀଦନଗର ଥାନା କୋରଡ଼ କଣ୍ଟାରେ ତାଙ୍କର କିଛି ଜମି ରହିଛି। ସେହି ଜମିକୁ ସୁକାନ୍ତ ବିକ୍ରି କରିବାକୁ କହି ଏକାଧିକ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇଥିଲେ। ହେଲେ କାହାରିକୁ ଆଜି ପର୍ଯ୍ୟନ୍ତ ଜମି ଦେଇ ନ ଥିଲେ। ଏପରିକି ଟଙ୍କା ଫେରସ୍ତ ମାଗିଲେ ଧରାଛୁଅଁା ଦେଉନଥିଲେ। ଗୋଟିଏ ଜମିକୁ ଚଞ୍ଚକତା କରି ଏକାଧିକ ଲେକଙ୍କୁ ବିକ୍ରିକରି ଟଙ୍କା ନେଇଯାଇଛନ୍ତି। ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ଦିପକ କୁମାର ସାମଲ ଏବଂ ଅନ୍ୟ ଜଣେ ମହିଳାଙ୍କୁ ଜମି ଦେବାକୁ କହି ୫୫ ଲକ୍ଷ ଟଙ୍କା ୨୦୧୮ ମସିହାରେ ନେଇଥିଲେ। ଆଜି ପର୍ଯ୍ୟନ୍ତ କାହାରିକୁ ଜମି ଦେଇନାହାନ୍ତି କିମ୍ବା ଟଙ୍କା ଫେରାଇ ନାହାନ୍ତି। ଏନେଇ ଥାନାରେ ଦୀପକ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ କରି ସୁକାନ୍ତକୁ ଗିରଫ କରିଛି। ସୁକାନ୍ତ ଅନ୍ୟ କେଉଁମାନଙ୍କ ଠାରୁ ଜମି ଦେବାକୁ କହି ଟଙ୍କା ଆଣିଥିଲେ ପୋଲିସ ଖୋଳତାଡ଼ କରୁଛି।